ମୁମ୍ବାଇ: ପୁଣି ଅସୁସ୍ଥ ହେଲେ ଏନ୍ସିପି (SP) ମୁଖ୍ୟ ତଥା ବରିଷ୍ଠ ରାଜନେତା ଶରଦ ପାୱାର। ଡିହାଇଡ୍ରେସନ୍ ବା ଶରୀରରେ ଜଳୀୟ ଅଂଶର ଅଭାବ ଯୋଗୁଁ ଗୁରୁବାର (ନଭେମ୍ବର ୨୬) ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଝିଅ ସୁପ୍ରିୟା ସୁଲେ ସୋସିଆଲ୍ ମିଡିଆ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି।
ସୁପ୍ରିୟା ସୁଲେ Xରେ ଲେଖିଛନ୍ତି, “ଆମେ ବାବାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରୁଛୁ। ଡିହାଇଡ୍ରେସନ୍ ହୋଇଥିବା ଭଳି ଲାଗୁଛି। ତାଙ୍କୁ ଟିକେ ଧୀରେ ଚାଲିବା ଓ ଯାତ୍ରା କମାଇବା ଆବଶ୍ୟକ। କିନ୍ତୁ ବାବା କିଛି ଶୁଣନ୍ତି ନାହିଁ। ସେ ନିଜ କାମକୁ ଅତ୍ୟଧିକ ଭଲ ପାଆନ୍ତି।”
ସୂଚନା ଅନୁଯାୟୀ, ଦଳର ରାଜ୍ୟ ସଭାପତି ଶଶିକାନ୍ତ ସିନ୍ଦେ ଡାକିଥିବା ବୈଠକରେ ଯୋଗଦେବା ପାଇଁ ସୁପ୍ରିୟା ନରିମାନ୍ ପଏଣ୍ଟସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଥିଲେ। କିନ୍ତୁ ବାପାଙ୍କ ଅସୁସ୍ଥତା ଖବର ପାଇ ବୈଠକ ଅଧାରୁ ଛାଡ଼ି ହସ୍ପିଟାଲକୁ ଯାଇଥିଲେ।
ଉଲ୍ଲେଖଯୋଗ୍ୟ, ଚଳିତ ମାସରେ ମଧ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଥିଲା। ନଭେମ୍ବର ୪ ତାରିଖରେ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ସେ ପୁଣେର ରୁବି ହଲ୍ କ୍ଲିନିକ୍ରେ ଚିକିତ୍ସିତ ହୋଇଥିଲେ। ବ୍ରୋଙ୍କାଇଟିସ୍ ଆକ୍ରମଣ ଓ ଛାତି ସଂକ୍ରମଣ ଯୋଗୁଁ ସେ ଅସୁସ୍ଥ ହୋଇଥିବା ଡାକ୍ତର କହିଥିଲେ।
ନଭେମ୍ବର ୭ରେ ତାଙ୍କୁ ସ୍ଥିର ସ୍ୱାସ୍ଥ୍ୟାବସ୍ଥାରେ ଡିସଚାର୍ଜ କରାଯାଇଥିଲା। ଘରେ ରହି ଚିକିତ୍ସା ଜାରି ରଖିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫୋନ୍ କରି ଶରଦ ପାୱାରଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ।