ମୁମ୍ବାଇ: ୨୬ ନଭେମ୍ବର ୨୦୨୬। ସମୟ ବଦଳିଛି, ପିଢ଼ି ବଦଳିଛି, ମୁମ୍ବାଇ ପୁଣି ନିଜ ଗତିରେ ଦୌଡ଼ୁଛି। ହେଲେ ୨୦୦୮ ନଭେମ୍ବର ୨୬ର ସେହି କଳାରାତିକୁ ଆଜି ବି ଭୁଲିପାରିନି ଦେଶ। କ୍ୟାଲେଣ୍ଡରର ପୃଷ୍ଠା ବଦଳିଯାଏ, କିନ୍ତୁ କିଛି କ୍ଷତ ଏମିତି ଥାଏ ଯାହା କେବେ ଶୁଖେ ନାହିଁ। ଭାରତୀୟ ଇତିହାସର ସେହି କଳା ଦିନକୁ ଆଜି ପୁରା ୧୮ ବର୍ଷ ପୂରିଛି। ୧୮ ବର୍ଷ ପରେ ବି ୨୬/୧୧ର ଛାତିଥରା ସ୍ମୃତି ମନେ ପକାଇଦିଏ ଆତଙ୍କବାଦର ଭୟାବହତା ଓ ମାନବିକତାର ଅମୂଲ୍ୟ ମୂଲ୍ୟ।
ସେଦିନ ରାତିରେ ଆତଙ୍କର ଅଗ୍ନିରେ ଜଳି ଉଠିଥିଲା ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ। ୧୦ ଜଣ ଭାରୀ ଅସ୍ତ୍ରଶସ୍ତ୍ରଧାରୀ ଲସ୍କର-ଏ-ତୋଏବା ଆତଙ୍କବାଦୀ ସମୁଦ୍ରପଥରେ ପାକିସ୍ତାନରୁ ଆସି ସହରର ବିଭିନ୍ନ ସ୍ଥାନରେ ଆରମ୍ଭ କରିଥିଲେ ନରସଂହାର।
୨୦୦୮ ମସିହାର ଆଜିର ଏହି ରାତିରେ, ଯେତେବେଳେ ମାୟାନଗରୀ ମୁମ୍ବାଇ ନିଜର ଚିରାଚରିତ ବ୍ୟସ୍ତତା ଭିତରେ ଶୋଇବାକୁ ଯାଉଥିଲା, ଠିକ୍ ସେତିକିବେଳେ ସମୁଦ୍ର ପଥ ଦେଇ ଆସିଥିବା ମୃତ୍ୟୁର ସୌଦାଗରମାନେ ରଚିଥିଲେ ରକ୍ତର ହୋଲି। କେଉଁଠି ଗୁଳିର ଶବ୍ଦ, ତ କେଉଁଠି ବିସ୍ଫୋରଣ। ଦୀର୍ଘ ୬୦ ଘଣ୍ଟା ଧରି ଚାଲିଥିବା ଏହି ଆକ୍ରମଣରେ ୧୬୬ ଜଣଙ୍କ ଜୀବନ ଯାଇଥିଲା। ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ଟାର୍ଗେଟରେ ଥିଲା ମୁମ୍ବାଇର ହୃଦୟ
ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ (CSMT), ତାଜ୍ ମହଲ ପ୍ୟାଲେସ୍ ହୋଟେଲ, ଟ୍ରାଇଡେଣ୍ଟ ହୋଟେଲ, ନରିମାନ ହାଉସ୍, ଲିଓପୋଲ୍ଡ କାଫେ ଓ କାମା ହସ୍ପିଟାଲ ଭଳି ପ୍ରମୁଖ ସ୍ଥାନରେ ହୋଇଥିଲା ଆକ୍ରମଣ। ଗୁଳିର ଶବ୍ଦ, ବିସ୍ଫୋରଣ, ଧୂଆଁ ଓ ଆତଙ୍କରେ ଥରି ଉଠିଥିଲା ସମଗ୍ର ସହର।
ଲୋକଙ୍କୁ ବନ୍ଧକ ରଖି ଆତଙ୍କବାଦୀମାନେ ଚଳାଇଥିଲେ ରକ୍ତର ଖେଳ। ଅନ୍ୟପଟେ ଜୀବନକୁ ବାଜି ଲଗାଇ ମୁକାବିଲା କରିଥିଲେ ମୁମ୍ବାଇ ପୋଲିସ, ସୁରକ୍ଷାକର୍ମୀ, ନୌସେନାର ମାର୍କୋସ୍ କମାଣ୍ଡୋ ଏବଂ ଜାତୀୟ ସୁରକ୍ଷା ଗାର୍ଡ (NSG) ଯବାନ।
ବୀରତ୍ୱ ଆଗରେ ହାର ମାନିଥିଲା ଆତଙ୍କ
ପ୍ରାୟ ୬୦ ଘଣ୍ଟାର ଅପରେସନ ପରେ ନଭେମ୍ବର ୨୯ ତାରିଖ ସକାଳେ ଶେଷ ହୋଇଥିଲା ଆତଙ୍କର ତାଣ୍ଡବ। ଅନେକ ସାହସୀ ସୁରକ୍ଷାକର୍ମୀ ନିଜ ଜୀବନକୁ ବଳିଦାନ ଦେଇ ନିରୀହ ଲୋକଙ୍କ ଜୀବନ ରକ୍ଷା କରିଥିଲେ। ସେମାନଙ୍କ ବୀରତ୍ୱ ଓ ବଳିଦାନ ଆଜି ବି ଦେଶବାସୀଙ୍କ ହୃଦୟରେ ଅମର।
୨୬/୧୧ ପରେ ବଦଳିଥିଲା ଭାରତର ସୁରକ୍ଷା ବ୍ୟବସ୍ଥା
ଏହି ଆକ୍ରମଣ ଭାରତର ଉପକୂଳ ସୁରକ୍ଷା, ଗୁଇନ୍ଦା ବ୍ୟବସ୍ଥା ଓ ବିଭିନ୍ନ ସୁରକ୍ଷା ଏଜେନ୍ସି ମଧ୍ୟରେ ସମନ୍ୱୟର ଅଭାବକୁ ସାମ୍ନାକୁ ଆଣିଥିଲା। ଏହାପରେ ଦେଶର ଆତଙ୍କବାଦ ବିରୋଧୀ ରଣନୀତି, ଉପକୂଳ ନିରୀକ୍ଷଣ ଓ ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିଥିଲା।
ମୁମ୍ବାଇ ପାଇଁ ଆତଙ୍କବାଦୀ ଆକ୍ରମଣ ନୂଆ ନୁହେଁ। ୧୯୯୩ରେ ସିରିଜ୍ ବୋମା ବିସ୍ଫୋରଣରେ ୨୫୭ ଜଣ, ୨୦୦୬ର ଲୋକାଲ୍ ଟ୍ରେନ୍ ବିସ୍ଫୋରଣରେ ୧୮୮ ଜଣ ଏବଂ ୨୦୧୧ର ତିନିଟି ବିସ୍ଫୋରଣରେ ୨୭ ଜଣଙ୍କ ଜୀବନ ଯାଇଥିଲା।
୧୮ ବର୍ଷ ପରେ ବି ଗୋଟିଏ ସଂକଳ୍ପ…
ଆଜି ୨୬/୧୧ର ୧୮ତମ ବାର୍ଷିକୀରେ ଦେଶ ସେହି ନିରୀହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସ୍ମରଣ କରୁଛି ସେହି ବୀର ଯବାନଙ୍କୁ, ଯେଉଁମାନେ ନିଜ ଜୀବନ ଦେଇ ଦେଶର ଗୌରବ ଓ ମାନବିକତାକୁ ରକ୍ଷା କରିଥିଲେ।
ଆତଙ୍କବାଦ ମଣିଷର ଜୀବନ ନେଇପାରେ, ହେଲେ ମାନବିକତା, ସାହସ ଓ ଏକତାକୁ କେବେ ହରାଇପାରିବ ନାହିଁ। ୨୬/୧୧ କେବଳ ଏକ ତାରିଖ ନୁହେଁ, ଏହା ଦେଶର ସୁରକ୍ଷା ଓ ସଚେତନତା ପାଇଁ ଏକ ଚିରନ୍ତନ ଚେତାବନୀ।