ନୂଆଦିଲ୍ଲୀ: ଏଣିକି ବନ୍ଦ ପ୍ୟାକେଟରେ ଆସୁଥିବା ଖାଦ୍ୟ ଉପରେ ଲାଗିବ ସ୍ୱାସ୍ଥ୍ୟ ପ୍ରତି ହାନିକାରଣ ଉତ୍ପାଦର ଲେବଲ୍ । ପ୍ୟାକେଟ୍ ଖାଦ୍ୟ ଉପରେ ହାନିକାରଣ ଉତ୍ପାଦର ଲେବଲ୍ ଲଗାଇବା ନିୟମକୁ ବାଧ୍ୟତା ମୂଳକ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ଅଦାଲତ । କ୍ଷତିକାରକ ଉପାଦାନ ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି ।
ନ୍ୟାୟାଧୀଶ ଜେ.ବି. ପାର୍ଦିୱାଲା ଏବଂ ନ୍ୟାୟାଧୀଶ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ପ୍ୟାକେଟ୍ବନ୍ଦ ଖାଦ୍ୟ ପଦାର୍ଥରେ ଥିବା କ୍ଷତିକାରକ ଉପାଦାନଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। କୋର୍ଟ ପ୍ୟାକେଟ୍ ବନ୍ଦ ଖାଦ୍ୟ ଓ ପାନୀୟ ସାମଗ୍ରୀ ଉପରେ ଚେତାବନୀ ସୂଚକ (warning labels) ଲଗାଇବା ବାଧ୍ୟତାମୂଳକ କରିଛନ୍ତି । ଯାହାଦ୍ୱାରା ଉପଭୋକ୍ତାମାନେ ନିଜେ ଗ୍ରହଣ କରୁଥିବା ଖାଦ୍ୟର ସ୍ୱାସ୍ଥ୍ୟଗତ ପ୍ରଭାବ ବିଷୟରେ ଅବଗତ ହୋଇପାରିବେ। ଫ୍ରଣ୍ଟ-ଅଫ୍-ପ୍ୟାକେଜ୍ ନ୍ୟୁଟ୍ରିସନ୍ ଲେବଲିଂ (FoPNL) ସମ୍ବନ୍ଧୀୟ ନିୟମାବଳୀକୁ ସୁଦୃଢ଼ କରିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI)କୁ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, କେବଳ 'ଅତିରିକ୍ତ ଚିନି' (Added Sugar) ଏବଂ 'ଅତିରିକ୍ତ ଚର୍ବି' (Fat) ଉପରେ ଧ୍ୟାନ ଦେବା ପରିବର୍ତ୍ତେ, ଲେବଲ୍ ଗୁଡିକ ପ୍ୟାକେଜିଂର ସାମ୍ନାରେ 'ମୋଟ ଚିନି', 'ସାଚୁରେଟେଡ୍ ଚର୍ବି' ଏବଂ ଲୁଣକୁ ପ୍ରାଞ୍ଜଳଭାବେ ଲେଖାଯିବା ଉଚିତ ।
ପ୍ରତ୍ୟେକ ଚେତାବନୀ ଲେବଲ୍ ଷଡ଼ଭୁଜାକାର ଏବଂ ଲାଲ ରଙ୍ଗର ହେବା ଆବଶ୍ୟକ । ଏଥିରେ ସମ୍ପୃକ୍ତ ଖାଦ୍ୟ ପଦାର୍ଥର ଚିତ୍ର ସହିତ "ଅଧିକ ଚର୍ବି" (High Fat), "ଅଧିକ ଚିନି" (High Sugar) କିମ୍ବା "ଅଧିକ ଲୁଣ" (High Salt) ଭଳି ଲେଖା ରହିବା ଉଚିତ୍। ଫଳରେ ଜଣେ ଉପଭୋକ୍ତା ଉକ୍ତ ଖାଦ୍ୟ ତାଙ୍କ ପାଇଁ କେତେ ହାନିକାରକ ତାହା ସ୍ପଷ୍ଟ ଭାବରେ ଜାଣିପାରିବେ । ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ, FSSAI ନିଶ୍ଚିତ କରିବ ଯେ FoPNL ବ୍ୟବସ୍ଥା ଅଧୀନରେ 'ମୋଟ ଚିନି', 'ସାଚୁରେଟେଡ୍ ଫ୍ୟାଟ୍' ଏବଂ 'ଲୁଣ'କୁ ମୁଖ୍ୟ ଚିନ୍ତାଜନକ ଉପାଦାନ ଭାବରେ ପ୍ରାଥମିକତା ଦିଆଯିବ।