ପୁଡୁଚେରୀ: ପୁଡୁଚେରୀରେ ଖେଳାଯାଇଥିବା ଦ୍ୱିତୀୟ ଅନଅଫିସିଆଲ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ-ଏ ୬୯ ରନରେ ଇଣ୍ଡିଆ-ଏକୁ ପରାସ୍ତ କରିଛି। ତାରକା ବ୍ୟାଟରମାନଙ୍କୁ ନେଇ ଗଠିତ ଭାରତୀୟ ଦଳ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ରନ୍ ପିଛା କରି ପରାଜୟବରଣ କରିଛି। ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୭୫ ରନ୍ ସଂଗ୍ରହ କରିଥିଲା। ଜବାବରେ ଭାରତୀୟ ଦଳ ମାତ୍ର ୨୦୬ ରନରେ ଅଲଆଉଟ୍ ହୋଇଛି। ଇଣ୍ଡିଆ-ଏ ପାଇଁ କେବଳ ରଜତ ପାଟିଦାର ଆଶାନୁରୂପ ବ୍ୟାଟିଂ କରି ୬୭ ରନର ଇନିଂସ ଖେଳିଥିବା ବେଳେ ବାକି ବ୍ୟାଟର ନିରାଶ କରିଛନ୍ତି । ଗତ ମ୍ୟାଚରେ ମଧ୍ୟ ସେ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ସେହି ମ୍ୟାଚରେ ମଧ୍ୟ ଟିମ୍ ଇଣ୍ଡିଆକୁ ପରାଜୟ ସହିବାକୁ ପଡ଼ିଥିଲା।
୨୭୬ ରନର ପିଛା କରୁଥିବା ଭାରତର ଆରମ୍ଭ ଆଦୌ ଭଲ ନଥିଲା। ଓପନର ଦେବଦତ୍ତ ପାଡିକଲ ମାତ୍ର ୧ ରନ୍ କରି ସ୍ପେନ୍ସର ଜନସନଙ୍କ ବଲରେ ଆଉଟ୍ ହୋଇଥିଲେ। ଏହାପରେ ଅଧିନାୟକ ଋତୁରାଜ ଗାୟକୱାଡ୍ ମଧ୍ୟ ନିରାଶ କରିଥିଲେ।ସେ ମାତ୍ର ୧୨ ରନ୍ କରି ପାଭିଲିୟନ୍ ଫେରିଥିଲେ। ୯ମ ଓଭରରେ ସାଇ ସୁଦର୍ଶନଙ୍କ ପାରି ମଧ୍ୟ ଶେଷ ହୋଇଥିଲା। ସେ ୨୯ଟି ବଲ୍ରୁ ଗୋଟିଏ ଚୌକା ସହ ୧୩ ରନ୍ କରି ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ।
ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରଜତ ପାଟିଦାର ଚମତ୍କାର ପାରି ଖେଳି ୮୨ଟି ବଲ୍ରୁ ୧ଟି ଛକା ଓ ୩ଟି ଚୌକା ସହାୟତାରେ ୬୭ ରନ୍ ସଂଗ୍ରହ କରିଥିଲେ। ହେଲେ ଅନ୍ୟ ପଟେ କ୍ରମାଗତ ୱିକେଟ୍ ପତନ ଯୋଗୁଁ ତାଙ୍କର ଏହି ଏକାକୀ ସଂଘର୍ଷ ଦଳକୁ ଜିତାଇବା ପାଇଁ ଯଥେଷ୍ଟ ନଥିଲା।
ଅନ୍ୟ ବ୍ୟାଟରମାନଙ୍କ ମଧ୍ୟରେ କୁମାର କୁଶାଗ୍ର ୧୭, ନିଶାନ୍ତ ସିନ୍ଧୁ ୧୩ ଏବଂ ସୂର୍ଯ୍ୟାଂଶ ଶେଡଗେ ୧୦ ରନ୍ କରି ଆଉଟ୍ ହୋଇଥିଲେ। ଫଳରେ ଭାରତ ୪୫.୨ ଓଭରରେ ୨୦୬ ରନ କରି ଅଲଆଉଟ୍ ହୋଇଛି । ଏଥିସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ପରାଜିତ ହୋଇଛି ।
Also Read: ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟ୍ୱେଣ୍ଟି-୨୦: ବର୍ଷା ସାଜିବ କି ବାଧକ? ଜାଣନ୍ତୁ ରାଞ୍ଚି ପାଣିପାଗର ତାଜା ଅପଡେଟ୍