ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଆସନ୍ତା ଅକ୍ଟୋବର ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏକ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଅନୁଷ୍ଠିତ ହେବାକୁ ଯାଉଛି। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଅବକାରୀ ବିଭାଗ ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।
ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଚୋରା ମଦ କାରବାର ଏବଂ ନିଶାଦ୍ରବ୍ୟର ବେଆଇନ ଚାଲାଣକୁ ରୋକିବା ପାଇଁ ଏହି ବ୍ୟାପକ ପଦକ୍ଷେପ ନିଆଯାଇଛି ।
ନିର୍ଦ୍ଦେଶ ଅନୁଯାୟୀ ଅକ୍ଟୋବର ୧୦ରୁ ୩୧ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବେଆଇନ ମଦ ପ୍ରସ୍ତୁତି, ବିକ୍ରି ଏବଂ ଚୋରା ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଡ଼ୋଶୀ ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ହେଉଥିବା ବେଆଇନ ମଦ ଏବଂ ନିଶାଦ୍ରବ୍ୟ ପ୍ରବେଶକୁ ରୋକିବା ପାଇଁ ସୀମାନ୍ତ ଅଞ୍ଚଳରେ ୨୪ ଘଣ୍ଟିଆ ଜଗିବା ପାଇଁ ବ୍ୟବସ୍ଥା ହେବ। ବିଭିନ୍ନ ସନ୍ଦେହଜନକ ସ୍ଥାନ, ଜାତୀୟ ରାଜପଥ ଏବଂ ମଦ ଦୋକାନଗୁଡ଼ିକ ଆଖପାଖରେ ରାତ୍ରିକାଳୀନ ପାଟ୍ରୋଲିଂକୁ ଅଧିକ ଜୋରଦାର କରାଯିବ।
ଏହି ମିଶନର ଅନ୍ୟତମ ପ୍ରାଥମିକତା ହେଉଛି ବିପଦପୂର୍ଣ୍ଣ ରାସାୟନିକ ସାମଗ୍ରୀ ମିଶ୍ରିତ ନକଲି ମଦ ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ ରୂପେ ରୋକିବା ।
ଏହି ସ୍ୱତନ୍ତ୍ର ଅଭିଯାନକୁ ସଫଳ କରିବା ପାଇଁ ଅବକାରୀ କମିଶନରଙ୍କ ସମେତ ସମସ୍ତ ଜିଲ୍ଲାର ଅବକାରୀ ଅଧିକାରୀ ଓ ସ୍ୱତନ୍ତ୍ର ସ୍କ୍ୱାଡ୍କୁ ସଜାଗ ରହିବାକୁ ମନ୍ତ୍ରଙ୍କ ଦ୍ବାରା ନିର୍ଦ୍ଦେଶ ଦିଆଯାଇଛି।