ରାୟଗଡ଼ା: ପୋଖରୀରେ ଗାଧୋଇବାକୁ ଯାଇ ଅଘଟଣ। ପାଣିରେ ବୁଡ଼ି ଦୁଇ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡ଼ା ପଞ୍ଚାୟତ ଅଧୀନ ବଡ଼ନାଏକଗୁଡ଼ା ଗାଁରେ ବୁଧବାର ଏହି ଦୁଃଖଦ ଘଟଣା ଘଟିଛି।
ମୃତ ଛାତ୍ରୀ ଦୁଇଜଣ ହେଉଛନ୍ତି ୧୨ ବର୍ଷୀୟ କାମ୍ୟ ଟିକା ଓ ୧୨ ବର୍ଷୀୟ ନୀଲୁ କଡ୍ରକା ବୋଲି ଚିହ୍ନଟ କରାଯାଇଛି। ଉଭୟେ ବଡ଼ନାଏକଗୁଡ଼ା ଗାଁର ସ୍ଥାନୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ।
ସୂଚନା ଅନୁସାରେ, ଉଭୟ ଛାତ୍ରୀ ଦୈନନ୍ଦିନ ଭାବେ ଗାଧୋଇବା ପାଇଁ ଗାଁଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଶାନ୍ତିନଗର ପୋଖରୀକୁ ଯାଇଥିଲେ। ଗାଧୋଇବା ସମୟରେ ଅସାବଧାନତାବଶତଃ ଉଭୟେ ପୋଖରୀର ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଫଳରେ ପାଣିରେ ବୁଡ଼ି ଯାଇଥିଲେ।
ଘଟଣା ଦେଖି କିଛି ସ୍ଥାନୀୟ ଲୋକ ତୁରନ୍ତ ଗାଁ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଓ ପରିବାର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଉଭୟ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ଉଭୟଙ୍କ ମୃତ୍ୟୁ ଘଟିସାରିଥିଲା।
ଖବର ପାଇ କଲ୍ୟାଣସିଂହପୁର ଥାନା ଏସ୍ଆଇ ହେମନ୍ତ କୁମାର ବାରିଆ ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଉଭୟ ମୃତଦେହ ଉଦ୍ଧାର କରିବା ସହ ଘଟଣାରେ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି। ଏହି ଘଟଣା ପରେ ବଡ଼ନାଏକଗୁଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି।