ନୂଆଦିଲ୍ଲୀ: ୨୦୦୧ରୁ ଜନ ସେବାରେ ନିଜକୁ ସମର୍ପିତ କରି ନେଇଥିବା ନେତୃତ୍ୱ ନେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୨୫ ବର୍ଷ ପୂରଣ କରିଛନ୍ତି । ଆଜିର ଦିନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ମୋଦୀ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ସ୍ଥିତ ଶ୍ରୀ ବିନାୟକ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଦେଶବାସୀଙ୍କ ମଙ୍ଗଳକାମନା କରିଛନ୍ତି ।
ମୋଦୀ ‘ଏକ୍ସ’ ହ୍ୟାଣ୍ଡେଲରେ ଲେଖିଛନ୍ତି, ଆଜି ନୂଆଦିଲ୍ଲୀସ୍ଥିତ ଶ୍ରୀ ବିନାୟକ ମନ୍ଦିରରେ ପୂଜାଅର୍ଚ୍ଚନା କଲି। ଦେଶବ୍ୟାପୀ ମୋର ଜନତାଙ୍କ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନ ଶ୍ରୀ ଗଣେଶଙ୍କ ନିକଟରେ ପ୍ରାର୍ଥନା କଲି। ବିଘ୍ନହର୍ତ୍ତାଙ୍କ କୃପାରୁ ସମସ୍ତଙ୍କର ମଙ୍ଗଳ ହେଉ ଏବଂ ଦେଶ ପ୍ରଗତିର ପଥରେ ଅଗ୍ରସର ହେଉ।”
ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି ଅବସରେ ବହୁ ନେତୃବୃନ୍ଦଙ୍କଠାରୁ ଆରମ୍ଭ କରି ବିଶ୍ୱ ନେତାଙ୍କ ପର୍ଯ୍ୟନ୍ତ ଶୁଭେଚ୍ଛା ଜଣାଇଛନ୍ତି । ଜାପାନ ପ୍ରଧାନମନ୍ତ୍ରୀ ସନାଏ ତାକାଇଚି, ସମସ୍ତ କେନ୍ଦ୍ର ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରମୁଖ ଶୁଭକାମନା ଜଣାଇଛନ୍ତି ।
ନରେନ୍ଦ୍ର ମୋଦୀ ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେବେଠାରୁ ସେ କ୍ରମାଗତ ଭାବେ କ୍ଷମତାରେ ରହିଆସିଛନ୍ତି । ପ୍ରଥମେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଏବଂ ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ଭାବରେ କ୍ଷମତାସୀନ ରହିଛନ୍ତି । ଆଜି ଠିକ୍ ୨୫ ବର୍ଷ ପୂରଣ ହେଉଛି । ତାଙ୍କ ନେତୃତ୍ୱ କାଳରେ ଦେଶ ଅନେକ କଠିନ ପରିସ୍ଥିତି ଦେଇ ଗତି କରିଥିବାବେଳେ ଅତି ଧୈର୍ଯ୍ୟ, ସାହସ ଏବଂ କଠୋର ନିଷ୍ପତି ସହିତ ସେ ତାହାକୁ ସଫଳତାର ସହିତ ମୁକାବିଲା କରିଛନ୍ତି ।