ଭୁବନେଶ୍ୱର: ଅଗ୍ନିକାଣ୍ଡ ବଢ଼ୁଥିବା ସମୟରେ ଫାୟାର ସେଫ୍ଟି ନେଇ ଆସୁଛି ନୂଆ ପଦକ୍ଷେପ। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଅଗ୍ନି ନିରାପତ୍ତା ଏକ୍ସପୋ। ଆସନ୍ତାକାଲି, ଅର୍ଥାତ୍ ୯ ତାରିଖରେ ଏନ୍ଡିଆରଏଫ୍ ଫାୟାର ଗ୍ରାଉଣ୍ଡରେ ଏହି ପ୍ରଦର୍ଶନୀ ଆୟୋଜିତ ହେବ। ଏକ୍ସପୋରେ ଦେଶର ବିଭିନ୍ନ ରାଜ୍ୟରୁ ୬୦ରୁ ଅଧିକ ଉଦ୍ୟୋଗୀ ଓ ଫାୟାର ସେଫ୍ଟି କ୍ଷେତ୍ରରେ କାମ କରୁଥିବା ସଂସ୍ଥା ଯୋଗଦେବେ। ଗୋଟିଏ ଛାତ ତଳେ ଅଗ୍ନି ନିରାପତ୍ତା ସହ ଜଡ଼ିତ ଆଧୁନିକ ଯନ୍ତ୍ରପାତି, ନୂଆ ପ୍ରଯୁକ୍ତି ଓ ସୁରକ୍ଷା ବ୍ୟବସ୍ଥା ପ୍ରଦର୍ଶିତ ହେବ।
ଏହି ଏକ୍ସପୋର ମୁଖ୍ୟ ଲକ୍ଷ୍ୟ କେବଳ ନୂଆ ଟେକ୍ନୋଲୋଜି ପ୍ରଦର୍ଶନ ନୁହେଁ, ବରଂ ଅଗ୍ନି ନିରାପତ୍ତାକୁ ନେଇ ସାଧାରଣ ଲୋକଙ୍କୁ ସଚେତନ କରିବା। ଅଗ୍ନିକାଣ୍ଡ ସମୟରେ କେଉଁ ପଦକ୍ଷେପ ନେବା ଆବଶ୍ୟକ ଏବଂ ଆଧୁନିକ ବ୍ୟବସ୍ଥା ମାଧ୍ୟମରେ କିପରି କ୍ଷୟକ୍ଷତିକୁ କମାଯାଇପାରିବ, ସେନେଇ ମଧ୍ୟ ଏକ୍ସପୋରୁ ଅନେକ ତଥ୍ୟ ମିଳିବ।
ଏଥିସହ ଓଡ଼ିଶାର ଫାୟାର ସେଫ୍ଟି କ୍ଷେତ୍ରର ଦକ୍ଷତା ଓ ସମ୍ଭାବନାକୁ ଦେଶବିଦେଶରେ ପହଞ୍ଚାଇବା ଏହି ଆୟୋଜନର ଆଉ ଏକ ଉଦ୍ଦେଶ୍ୟ। ଅନ୍ୟ ରାଜ୍ୟରେ ବିକଶିତ ହେଉଥିବା ନୂଆ ଜ୍ଞାନକୌଶଳ ସମ୍ପର୍କରେ ମଧ୍ୟ ଓଡ଼ିଶାର ଲୋକେ ଜାଣିବାର ସୁଯୋଗ ପାଇବେ।
ଆଗାମୀ ଦିନରେ ଏହି ଏକ୍ସପୋକୁ ଆହୁରି ବଡ଼ ଆକାର ଦେବାକୁ ଯୋଜନା ରହିଛି। ଭବିଷ୍ୟତରେ ୩୦୦ରୁ ଅଧିକ ଉଦ୍ୟୋଗୀ ଓ ଫାୟାର ସେଫ୍ଟି ସଂସ୍ଥାକୁ ସାମିଲ କରିବାକୁ ସଂଘ ଲକ୍ଷ୍ୟ ରଖିଛି। ଓଡ଼ିଶାରେ ପ୍ରଥମ ଥର ହେଉଥିବା ଏହି ଫାୟାର ସେଫ୍ଟି ଏକ୍ସପୋ ଅଗ୍ନି ନିରାପତ୍ତା କ୍ଷେତ୍ରରେ ଏକ ନୂଆ ଦିଗ ଖୋଲିବ ବୋଲି ଆଶା କରାଯାଉଛି।