ଯାଜପୁର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଯାଜପୁର ରୋଡସ୍ଥିତ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଘନଘନ ବୋମାମାଡ଼କୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୁରୁବାର ଭୋର ସମୟରେ କଲେଜ ପ୍ରିନ୍ସପାଲଙ୍କ ବାସଭବନ ନିକଟରେ ପ୍ରଥମେ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ପରେ ପଠାଣି ସାମନ୍ତ ଛାତ୍ରାବାସ ନିକଟରେ ମଧ୍ୟ ଏକାଧିକ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଭୋର ପ୍ରାୟ ୩ଟା ୨୦ରୁ ୩ଟା ୩୦ ମଧ୍ୟରେ ପ୍ରିନ୍ସପାଲ ଅକ୍ଷୟ ତ୍ରିପାଠୀଙ୍କ ବାସଭବନ ସମ୍ମୁଖରେ ହଠାତ୍ ବିସ୍ଫୋରଣ ଶବ୍ଦ ହୋଇଥିଲା। ଶବ୍ଦ ଶୁଣି ପ୍ରିନ୍ସପାଲ ବାହାରକୁ ଆସିବା ବେଳକୁ ଚାରିପାଖ ଧୂଆଁମୟ ହୋଇଯାଇଥିଲା। ଘଟଣା ସମ୍ପର୍କରେ ସେ ସାଥୀ ଅଧ୍ୟାପକଙ୍କୁ ଜଣାଇବା ସହ ତୁରନ୍ତ ଯାଜପୁର ରୋଡ ପୋଲିସକୁ ଖବର ଦେଇଥିଲେ।
ଏହାର କିଛି ସମୟ ପରେ କଲେଜ ପରିସରରେ ଥିବା ପଠାଣି ସାମନ୍ତ ଛାତ୍ର ନିବାସ ନିକଟରେ ମଧ୍ୟ ପ୍ରାୟ ୩ରୁ ୪ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା।
ଖବର ପାଇ ଯାଜପୁର ରୋଡ ଥାନା ଅଧିକାରୀ ଆଶିଷ କୁମାର ସାହୁ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ପକ୍ଷରୁ କିଛି ଅଫୁଟା ବସ୍ତୁ ଜବତ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ତେବେ ଜବତ ହୋଇଥିବା ବସ୍ତୁଗୁଡ଼ିକ ପୂଜାପାର୍ବଣରେ ବ୍ୟବହୃତ ନଡ଼ିଆ ବାଣ ହୋଇଥାଇପାରେ ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ଏହାର ପ୍ରକୃତ ସ୍ୱରୂପ ଓ ଘଟଣା ପଛର କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ହେବାକୁ ଥିବାରୁ ଏହି ଘଟଣାକୁ ନେଇ କଲେଜରେ ସୁରକ୍ଷା ଚିନ୍ତା ବଢ଼ିଛି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ କରିବା ସହ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରିନ୍ସପାଲ ଦାବି କରିଛନ୍ତି।