ଭୁବନେଶ୍ୱର: ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ତଦନ୍ତ ଆଉ ଏକ ପାଦ ଆଗକୁ ବଢ଼ିଛି। ଝାରପଡ଼ା ଜେଲ୍ରେ ହୋଇଛି ଟେଷ୍ଟ ଆଇଡେଣ୍ଟିଫିକେସନ୍ ପରେଡ୍ (ଟିଆଇ ପରେଡ୍)। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ହୋଇଥିବା ଏହି ପରେଡ୍ରେ ମୋଟ ୧୦ ଜଣଙ୍କୁ ଧାଡ଼ିରେ ଠିଆ କରାଯାଇଥିଲା। ଏମାନଙ୍କ ମଧ୍ୟରେ ଅଭିଯୁକ୍ତଙ୍କ ସହ ଡମି ମଧ୍ୟ ଥିଲେ।
ଟିଆଇ ପରେଡ୍ରେ ପୀଡ଼ିତା ୯ ଜଣଙ୍କୁ ବାଦ୍ ଦେଇ ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ସୂଚନା ମିଳିଛି। ଏନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।
କ’ଣ ହୁଏ ଟିଆଇ ପରେଡ୍ରେ?
ଦୁଷ୍କର୍ମ ଭଳି ଗୁରୁତର ମାମଲାରେ ତଦନ୍ତ ସମୟରେ ଟିଆଇ ପରେଡ୍ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ଏଥିରେ ଅଭିଯୁକ୍ତଙ୍କ ସହ ସମାନ ଦେଖାଯାଉଥିବା ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଧାଡ଼ିରେ ଠିଆ କରାଯାଏ। ପରେ ପୀଡ଼ିତା କିମ୍ବା ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କୁ ସେମାନଙ୍କ ମଧ୍ୟରୁ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ କୁହାଯାଏ।
ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ କରାଯାଇଥାଏ। ପ୍ରକ୍ରିୟାର ଅଡିଓ ଓ ଭିଡିଓ ରେକର୍ଡିଂ ମଧ୍ୟ କରାଯାଏ। ତଦନ୍ତରେ ଅଭିଯୁକ୍ତଙ୍କ ପରିଚୟ ସମ୍ପର୍କରେ ପୋଲିସକୁ ସହାୟତା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ତେବେ ଟିଆଇ ପରେଡ୍ ଏକାକୀ ମାମଲାର ଚୂଡ଼ାନ୍ତ ପ୍ରମାଣ ନୁହେଁ। ମେଡିକାଲ୍ ରିପୋର୍ଟ, ଫରେନସିକ୍ ପ୍ରମାଣ, ଡିଜିଟାଲ୍ ତଥ୍ୟ, ସାକ୍ଷୀଙ୍କ ବୟାନ ଓ ଅନ୍ୟ ପରିସ୍ଥିତିଜନିତ ପ୍ରମାଣ ସହିତ ସମସ୍ତ ତଥ୍ୟକୁ ବିଚାର କରି ମାମଲାରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯାଏ। ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ଟିଆଇ ପରେଡ୍ ସମ୍ପନ୍ନ ହେବା ପରେ ତଦନ୍ତ ପ୍ରକ୍ରିୟା ଏବେ କେଉଁ ଦିଗକୁ ଯାଉଛି, ତା’ ଉପରେ ନଜର ରହିଛି।