ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ତିନି ଦିନିଆ ମୁଦ୍ରା ନୀତି କମିଟି (ଏମପିସି) ବୈଠକ ପରେ ସର୍ବସମ୍ମତି କ୍ରମେ ରେପୋ ରେଟ୍ ବୃଦ୍ଧି କରିଛି । ବୁଧବାର ଆରବିଆଇ ରେପୋ ହାର ୨୫ ବେସିସ୍ ପଏଣ୍ଟ (୦.୨୫%) ବୃଦ୍ଧି କରିଛି । ଦୀର୍ଘ ସାଢ଼େ ତିନି ବର୍ଷ ପରେ ରେପୋ ରେଟ୍ ବୃଦ୍ଧି ଘଟିଛି । ମୁଦ୍ରାସ୍ପୀତି ଆଶଙ୍କା, ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି, ତୈଳ ସଙ୍କଟ ଏବଂ ବିଶ୍ୱର ଆର୍ଥିକ ଅବସ୍ଥାକୁ ନଜରରେ ରଖି ଆରବିଆଇ ରେପୋ ହାର ୫.୨୫ ପ୍ରତିଶତରୁ ୫.୫୦ ପ୍ରତିଶତକୁ ବୃଦ୍ଧି କରିଛି ।
ଆରବିଆଇର ଏହି ନିଷ୍ପତି ବ୍ୟାଙ୍କ ଋଣ ଉପରେ ପ୍ରଭାବ ପକାଇବ । କାରଣ ରେପୋ ହାର ଦ୍ୱାରା ଆରବିଆଇ ବ୍ୟାଙ୍କ ଗୁଡ଼ିକୁ ଋଣ ପ୍ରଦାନ କରିଥାଏ । ଏଣିକି ବ୍ୟାଙ୍କରୁ ଋଣ ନେବା ମହଙ୍ଗା ହୋଇଯିବ । ଆରବିଆଇ ଦ୍ୱାରା ରେପୋ ହାରରେ ୨୫ ବେସିସ୍ ପଏଣ୍ଟ୍ ବୃଦ୍ଧି ବ୍ୟାଙ୍କ ଋଣର ସୁଧ ହାରକୁ ୦.୨୫% ବୃଦ୍ଧି କରିବ। ଫଳରେ ଗୃହ ଋଣ. କାର ଋଣ ଏବଂ ବ୍ୟକ୍ତିଗତ ଋଣ ଉପରେ ସୁଧ ହାର ବୃଦ୍ଧି ଘଟିବ । ସୁଧ ବୃଦ୍ଧି ପାଇବା ଦ୍ୱାରା ଇଏମ୍ଆଇ ମଧ୍ୟ ବଢ଼ିବ । କିନ୍ତୁ ଏଥିରୁ ସ୍ଥାୟୀ ଜମା ବା ଫିକ୍ସ ଡିପୋଜିଟ୍ କରୁଥିବା ଗ୍ରାହକ ଲାଭାନ୍ୱିତ ହେବେ । ଏଫଡିରେ ବ୍ୟାଙ୍କ ଗ୍ରାହକଙ୍କୁ ସେ ହାରରେ ଅଧିକ ସୁଧ ପ୍ରଦାନ କରିବ ।
ଶେଷଥର ପାଇଁ ୨୦୨୩, ଫେବ୍ରୁଆରୀରେ ଆରବିଆଇ ରେପୋ ହାର ବୃଦ୍ଧି କରିଥିଲା। ରେପୋ ହାର ୨୫ ବେସିସ୍ ପଏଣ୍ଟ ବୃଦ୍ଧି ହୋଇ ୬.୫୦%ରେ ପହଁଚିଥିଲା । ୨୦୨୪, ଡିସେମ୍ବର ପର୍ଯ୍ୟନ୍ତ ଏହି ସମାନ ରେପୋ ହାର ରହିଥିଲା । ପରବର୍ତ୍ତୀ ସମୟରେ ଆର୍ଥିକ ସ୍ଥିତି ସାମାନ୍ୟ ହେବା ପରେ ରେପୋ ହାରକୁ କ୍ରମାଗତଭାବେ ଚାରି ଥର ହ୍ରାସ ମଧ୍ୟ କରାଯାଇଥିଲା । ଯେଉଁଥିରେ ମୋଟ ୧୨୫ ବେସିସ୍ ପଏଣ୍ଟ କମାଇ ୫.୨୫%କୁ ହ୍ରାସ କରିଥିଲା ଆରବିଆଇ ।
ରେପୋ ହାରରେ ଏହି ବୃଦ୍ଧିର ଲକ୍ଷ୍ୟ ହେଉଛି ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଏବଂ ଦରବୃଦ୍ଧି ଜନିତ ଆଶଙ୍କାକୁ ହ୍ରାସ କରିବା । ଏହି ବିଷୟ ଉପରେ ଗୁରୁତ୍ୱାରୋପ କରି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ, ନିକଟ ଭବିଷ୍ୟତରେ ସୁଧ ହାର ହ୍ରାସ ପାଇବାର କୌଣସି ସମ୍ଭାବନା ନାହିଁ । ପରିସ୍ଥିତି ଓ ଭବିଷ୍ୟତର ଆକଳନ ଉପରେ ନିର୍ଭର କରି ଆଗାମୀ ନୀତିଗତ ପଦକ୍ଷେପଗୁଡ଼ିକ ସମ୍ଭବତଃ ସୁଧ ହାର ବୃଦ୍ଧି କରିବା କିମ୍ବା ଏହାକୁ ଅପରିବର୍ତ୍ତିତ ରଖିବା ମଧ୍ୟରେ ସୀମିତ ରହିବ ।