ନବରଙ୍ଗପୁର: କଲେଜ ନିର୍ବାଚନକୁ କେନ୍ଦ୍ର କରି ଅଶାନ୍ତ ହୋଇପଡ଼ିଛି ଉମରକୋଟ ସହର। ଛାତ୍ର ନେତାଙ୍କ ଉପରେ ଲଗାତାର ଆକ୍ରମଣ ଅଭିଯୋଗ ପରେ ସହରରେ ଉତ୍ତେଜନା ଦେଖାଦେଇଛି। ପରିସ୍ଥିତିକୁ ଦେଖି କଲେଜ କର୍ତ୍ତୃପକ୍ଷ କଲେଜକୁ ‘ସାଇନ୍ ଡାଏ’ ଘୋଷଣା କରିଛନ୍ତି। ଅନ୍ୟପଟେ ଘଟଣାସ୍ଥଳରେ ପହଞ୍ଚି ଏସ୍ପି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁସାରେ, ଶନିବାର ସକାଳେ ଉମରକୋଟର ମୁଖ୍ୟ ରାସ୍ତାରେ ଅଭିଷେକ ପଣ୍ଡା ନାମକ ଜଣେ ଛାତ୍ର ନେତାଙ୍କୁ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଡିଏନ୍କେ ଅଞ୍ଚଳର ତ୍ରିନାଥ ମନ୍ଦିର ନିକଟରେ ଦୀପକମଳ ମହାପାତ୍ରଙ୍କ ଉପରେ ଆଉ ଏକ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି।
ଅଭିଯୋଗ ଅନୁଯାୟୀ, ପ୍ରାୟ ୨୫ରୁ ୩୦ ଜଣ ଲୋକ ଦୀପକମଳଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ଛୁରାମାଡ଼ ହୋଇଥିବାରୁ ତାଙ୍କ ପେଟ ଓ ହାତରେ ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଅବସ୍ଥା ଦୃଷ୍ଟିରୁ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣାକୁ ରେଫର୍ କରାଯାଇଛି।
ଏହି ଘଟଣା ପରେ ସହରରେ ଦୋକାନବଜାର ବନ୍ଦ ରହିଥିବାବେଳେ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଏପରିକି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କ ବାଇକ୍କୁ କିଛି ଲୋକ କ୍ଷତିଗ୍ରସ୍ତ କରିଥିବା ଅଭିଯୋଗ ହୋଇଛି।
ପୂର୍ବତନ ଛାତ୍ର ନେତା ମିଲୁ ପଣ୍ଡା ଆକ୍ରମଣରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସେହିପରି ଗୁଜବ ପ୍ରଚାର ନକରିବା ଓ ଉତ୍ତେଜନାକୁ ପ୍ରଶ୍ରୟ ନଦେବାକୁ ସେ ଅନୁରୋଧ କରିଛନ୍ତି।
ବର୍ତ୍ତମାନ ସହରରେ ପୁଲିସ ଉପସ୍ଥିତି ବଢ଼ାଯାଇଛି। ଆକ୍ରମଣର ପ୍ରକୃତ କାରଣ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ହେବ। ଶାନ୍ତି ବଜାୟ ରଖିବା ସହ ଆଇନକୁ ହାତକୁ ନନେବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି।