ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପକ୍ଷରୁ ଏହାର ନିର୍ବାଚନୀ ଇସ୍ତହାର ସଂକଳ୍ପ ପତ୍ର ଉନ୍ମୋଚିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଏଭିବିପିର ମୁଖ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଘୋଷଣା କରାଯାଇଛି। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକରେ ଏହି ଇସ୍ତହାରକୁ ଆଧାର କରି ସଂଗଠନ ନିର୍ବାଚନୀ ମଇଦାନକୁ ଓହ୍ଲାଇବ।
ସଂକଳ୍ପ ପତ୍ରର ମୁଖ୍ୟ ପ୍ରସଙ୍ଗ
ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ପୂର୍ଣ୍ଣ ଭୟମୁକ୍ତ, ଶୃଙ୍ଖଳିତ ଏବଂ ଶିକ୍ଷାନୁକୂଳ ପରିବେଶରେ ଗଢ଼ିବା। ଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଅଧ୍ୟାପକ ଏବଂ ୱାର୍ଡେନ୍ ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା। କ୍ୟାମ୍ପସରେ ଛାତ୍ରୀମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହିତ ପାଠପଢ଼ା ସାଙ୍ଗକୁ ରୋଜଗାରକ୍ଷମ ଶିକ୍ଷା ଉପରେ ଗୁରୁତ୍ୱ ଦେବା।
ଛାତ୍ର ହିଂସାକୁ କଡ଼ା ନିନ୍ଦା
ଏହି ଅବସରରେ ଏଭିବିପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡାକ୍ତର ବୀରେନ୍ଦ୍ର ସିଂହ ସୋଲାଙ୍କି ଯୋଗଦେଇ କ୍ୟାମ୍ପସରେ ହେଉଥିବା ଯେକୌଣସି ପ୍ରକାରର ଛାତ୍ର ହିଂସାକୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଏଭିବିପି କେବଳ ନିର୍ବାଚନ ସମୟରେ ନୁହେଁ, ବରଂ ବର୍ଷର ୩୬୫ ଦିନ ଛାତ୍ରଛାତ୍ରୀଙ୍କ ହକ ଓ ଅଧିକାର ପାଇଁ ଲଢ଼ିଆସୁଛି। ତେଣୁ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ନିର୍ବାଚନୀ ପ୍ରସ୍ତୁତି କରିବାର ଆବଶ୍ୟକତା ନାହିଁ, ବରଂ ଯେଉଁମାନେ ଛାତ୍ରସମାଜଠାରୁ ଦୂରରେ ଅଛନ୍ତି, ସେମାନଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ।
ଓଡ଼ିଶାରେ ଛାତ୍ର ନିର୍ବାଚନ ଓ ABVP ର ପ୍ରଭାବ
ପୂର୍ବ ସରକାରଙ୍କ ସମୟରେ ଛାତ୍ର ନିର୍ବାଚନ ବନ୍ଦ ରହିଥିବାରୁ ଏହାକୁ ପୁନଃକାର୍ଯ୍ୟକାରୀ କରିବା ପାଇଁ ଏଭିବିପି ଦୀର୍ଘଦିନ ଧରି ଦାବି କରିଆସୁଥିଲା ବୋଲି ଡା. ସୋଲାଙ୍କି ମତବ୍ୟକ୍ତ କରିଛନ୍ତି। ନେତୃତ୍ୱ ସୃଷ୍ଟି କରିବା ପାଇଁ ଛାତ୍ର ନିର୍ବାଚନ ଅତ୍ୟନ୍ତ ଜରୁରୀ। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଚଳିତ ନିର୍ବାଚନରେ ଓଡ଼ିଶାର ପ୍ରାୟ ୧୭ଟି କଲେଜରେ ୨୩୦ଟି ପଦବୀ ପାଇଁ ଏଭିବିପିର ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇସାରିଛନ୍ତି।
ଆଗାମୀ ନିର୍ବାଚନରେ ମଧ୍ୟ ସଂଗଠନ ସମ୍ପୂର୍ଣ୍ଣ ସଫଳତା ହାସଲ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିବା ସହ ଛାତ୍ର ରାଜନୀତିରେ ବାହ୍ୟ ରାଜନୈତିକ ହସ୍ତକ୍ଷେପ ଅନୁଚିତ୍ ବୋଲି ମତ ଦେଇଛନ୍ତି।