ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ସାଙ୍ଗଠନିକ କାର୍ଯ୍ୟକୁ ଅଧିକ ମଜଭୁତ କରିବା ଉପରେ ଦଳର ଶୀର୍ଷ ନେତୃତ୍ୱର ଫୋକସ୍। ଏହି କ୍ରମରେ ସୋମବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି ବିଜେପିର ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଙ୍ଗଠନ) ସୌଦାନ ସିଂହ। ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ରାଜ୍ୟର ବିକାଶ, ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ଏବଂ ଦଳୀୟ ସଙ୍ଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ଭଳି ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା।
ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବା ଉପରେ ଜୋର
ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ସୌଦାନ ସିଂହଙ୍କ ସହ ଆଲୋଚନା ଫଳପ୍ରଦ ରହିଥିଲା। ଦଳର ସଙ୍ଗଠନକୁ ତୃଣମୂଳ ସ୍ତରରେ ଆହୁରି ସକ୍ରିୟ କରିବା ସହ ସାଧାରଣ ଲୋକଙ୍କ ସମସ୍ୟା ଓ ଆବଶ୍ୟକତାକୁ ପ୍ରାଥମିକତା ଦେବା ଉପରେ ଆଲୋଚନା ହୋଇଥିଲା।
ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ଲାଭ ଯେପରି ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଖରେ ପହଞ୍ଚିପାରିବ, ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହା ସହ ଓଡ଼ିଶାର ସାମଗ୍ରିକ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଉପରେ ମତବିନିମୟ ହୋଇଥିଲା।
ସୌଦାନ ସିଂହଙ୍କ ମାର୍ଗଦର୍ଶନରୁ କର୍ମୀଙ୍କୁ ମିଳିବ ଶକ୍ତି
ସୌଦାନ ସିଂହଙ୍କର ଦୀର୍ଘ ସାଙ୍ଗଠନିକ ଅଭିଜ୍ଞତା ଓ ମାର୍ଗଦର୍ଶନ ରାଜ୍ୟର ଦଳୀୟ କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ତୃଣମୂଳ ସ୍ତରରେ ଦଳର ଉପସ୍ଥିତିକୁ ଆହୁରି ବ୍ୟାପକ କରିବା ଏବଂ ସଂଗଠନ ଓ ସରକାରଙ୍କ ମଧ୍ୟରେ ସମନ୍ୱୟ ରଖିବା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ।
ଚାରି ରାଜ୍ୟର ସାଙ୍ଗଠନିକ ଦାୟିତ୍ୱରେ ସୌଦାନ ସିଂହ
ଓଡ଼ିଶା ସହ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସାଂଗଠନିକ ଦାୟିତ୍ୱ ପାଇବା ପରେ ସୌଦାନ ସିଂହ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ୱରକୁ ତାଙ୍କ କାର୍ଯ୍ୟକଳାପର କେନ୍ଦ୍ର ଭାବେ ରଖାଯାଇଛି।
ଏହି ଗସ୍ତ ସମୟରେ ସେ ରାଜ୍ୟ ବିଜେପିର ପଦାଧିକାରୀ, ବିଧାୟକ ଓ ମନ୍ତ୍ରୀମାନଙ୍କ ସହ ବୈଠକ କରିବେ। ଆଗାମୀ ସ୍ଥାନୀୟ ନିର୍ବାଚନ ପୂର୍ବରୁ ଦଳର ସାଙ୍ଗଠନିକ ସ୍ଥିତି ସମୀକ୍ଷା କରିବା ସହ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସୌଦାନ ସିଂହଙ୍କ ଏହି ଗସ୍ତ ଓ ରାଜ୍ୟ ନେତୃତ୍ୱ ସହ ଆଲୋଚନାକୁ ଓଡ଼ିଶାରେ ବିଜେପି ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।