ନୂଆଦିଲ୍ଲୀ: ଆଜି ପୁଣି ଥରେ ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ ଜନତା ପାର୍ଟି ଆନ୍ଦୋଳନ କରିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ କିଛି କର୍ମକର୍ତ୍ତାଙ୍କୁ ଉଠାଇ ନେଇଛି । ସିଜେପି ମୁଖପାତ୍ର ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି ।
ଦିଲ୍ଲୀ ପ୍ରଶାସନ ଜନ୍ତରମନ୍ତରରେ ବିଏନ୍ଏସ୍ଏସ୍ ଧାରା ୧୬୩ ଜାରି କରିଛି । ଜନ୍ତରମନ୍ତରରେ କୌଣସି ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନ ହୋଇପାରିବ ନାହିଁ । ଗତ ଶନିବାର ସିଜେପିର ଆନ୍ଦୋଳନ ଭଣ୍ଡୁର ହେବା ପରେ ଆଜି ପୁଣି ଥରେ ଆନ୍ଦୋଳନ ପାଇଁ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କଠାରୁ ଆରମ୍ଭ କରି କର୍ମୀମାନେ ଜନ୍ତରମନ୍ତରରେ ଏକାଠି ହୋଇଥିଲେ । ଫଳରେ ପୋଲିସ ସେମାନଙ୍କୁ ଉଠାଇ ନେଇଛି ।
ଉଲ୍ଲେଖନୀୟ ଯେ, ସିଜେପି ନେତା ଅଭିଜିତ୍ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ନିକଟରେ ଦିଲ୍ଲୀ ପୋଲିସ୍ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଅଟକ ରଖିଥିଲା। ପରବର୍ତ୍ତୀ ସମୟରେ, ଦିଲ୍ଲୀର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ କୋର୍ଟ ସେମାନଙ୍କୁ ୫୦,୦୦୦ ଟଙ୍କାର ଜାମିନ ବଣ୍ଡ୍ ଦାଖଲ କରିବା ପରେ ମୁକ୍ତ କରିଥିଲେ । ସେମାନଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଶାନ୍ତି ବଜାୟ ରଖିବାକୁ ଏବଂ ଉତ୍ତମ ଆଚରଣ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ସର୍ତ୍ତ ରଖାଯାଇଥିଲା ।