ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ଛାତି ଉପରେ ଥିବା ଜନ୍ତରମନ୍ତରରେ ଆଉ କାହାକୁ ଦେଖିବାକୁ ମିଳିବ ନାହିଁ । ନାଁ ଆଉ କାହାର ନାରାବାଜି ଶୁଣିବାକୁ ପଡ଼ିବ । ଆନ୍ଦୋଳନ ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ବ୍ୟବସାୟୀ ସହୁଥିବା କ୍ଷତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଗୃହ ମନ୍ତ୍ରାଳୟ ବଡ଼ ନିଷ୍ପତି ନେଇଛି । ଆଉ ଏଣିକି ଜନ୍ତରମନ୍ତରରେ କୌଣସି ଆନ୍ଦୋଳନ ହେବ ନାହିଁ ବୋଲି ବିଜ୍ଞପ୍ତି ଜାରି କରାଯାଇ ସ୍ପଷ୍ଟ କରାଯାଇଛି । ଆନ୍ଦୋଳନ ଏବଂ ଧାରଣା ପାଇଁ ଦିଲ୍ଲୀ ସରକାର ତିନୋଟି ସ୍ଥାନ ସ୍ଥିର କରିଛନ୍ତି । ପ୍ରଥମରେ ରାମଲୀଲା ମଇଦାନ, ବୁରାଡ଼ୀ ମଇଦାନ ଏବଂ ସିବିଡ଼ି ପଡ଼ିଆ ।
ଗତ କିଛି ଦିନ ହେବ ଲଗାତର ଆନ୍ଦୋଳନ ଯୋଗୁଁ ଜନ୍ତରମନ୍ତର ସ୍ଥାନୀୟ ବାସିନ୍ଦା ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପିଲାମାନେ ସ୍କୁଲ ଯିବାରୁ ବଞ୍ଚିତ ହେଉଥିବା ବେଳେ ରାସ୍ତା ଜାମ ଯୋଗୁଁ ଅଫିସ୍ କର୍ମଚାରୀ ଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ ପାଇଁ ଗୃହ ବିଭାଗ ଏକ କମିଟି ଗଠନ କରି ନାଗରିକ ଅଧିକାର ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲା । କମିଟିର ସୁପାରିଶ ଆଧାରରେ ଜନ୍ତରମନ୍ତର ଆନ୍ଦୋଳନ ସ୍ଥଳ ବିଜ୍ଞପ୍ତିକୁ ଖାରଜ କରିଛନ୍ତି । ଯଦ୍ୱାରା ଆଉ ଜନ୍ତରମନ୍ତରରେ କୌଣସି ଧାରଣା, ବିକ୍ଷୋଭ ଏବଂ ଆନ୍ଦୋଳନ ହୋଇପାରିବ ନାହିଁ ।
ରାମଲୀଲା ମଇଦାନ, ବୁରାଡ଼ୀ ମଇଦାନ ଏବଂ ସିବିଡ଼ି ପଡ଼ିଆରେ ଧାରଣା ଏବଂ ଆନ୍ଦୋଳନ ପାଇଁ ଭିନ୍ନ ଭିନ୍ନ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ । ୨୦୨୨ ମସିହା ୨୮ ଅପ୍ରେଲରେ ଜାରି କରାଯାଇଥିବା ବିଜ୍ଞପ୍ତିରେ ସାମାନ୍ୟ ସଂଶୋଧନ କରାଯିବ ।
ଜନ୍ତରମନ୍ତରରୁ ସଂସଦ ଏବଂ ପ୍ରମୁଖ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ନିକଟରେ ହୋଇଥିବାରୁ ଏହାକୁ ଆନ୍ଦୋଳନକାରୀମାନେ ପସନ୍ଦର ସ୍ଥାନ ଭାବେ ବାଛିଥାଆନ୍ତି । କିନ୍ତୁ ସେଠାରେ ବାରମ୍ବାର କଟକଣା, ଟ୍ରାଫିକ୍ ପରିବର୍ତ୍ତନ ଏବଂ ରାସ୍ତା ଜାମ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ ବ୍ୟାପକ ପ୍ରଭାବ ପକାଉଥିଲା ।