ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କଂଗ୍ରେସ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ କିଛି ବିରୋଧୀ ଦଳର ନେତା ମୁଖ୍ୟ ବିଚାରପତିଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ, ମାତ୍ର ସେ ଏହି ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି । ସିଜେଆଇ କାହିଁକି ରାହୁଲଙ୍କୁ ଭେଟିବାକୁ ମନା କରିଛନ୍ତି ତାହା ସ୍ପଷ୍ଟ କରିଛନ୍ତି ।
ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ 'ଇଣ୍ଡି' ମେଣ୍ଟର ପ୍ରତିବାଦ ଶୋଭାଯାତ୍ରା ଏବଂ ସାକ୍ଷାତ ପାଇଁ ଅନୁରୋଧ ସମ୍ପର୍କରେ ଏକ ସ୍ପଷ୍ଟ ମତ ରଖିଛନ୍ତି। ସେ ବିରୋଧୀ ଦଳର ନେତାମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି ଏବଂ ସେମାନଙ୍କୁ ଆନୁଷ୍ଠାନିକ ଆଇନଗତ ପ୍ରକ୍ରିୟା ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି। ସିଜେଆଇ ସ୍ପଷ୍ଟ କରିଛନ୍ତି ଯେ ସାକ୍ଷାତ ପାଇଁ ଅନୁରୋଧ କରାଯାଇଥିବା ଚିଠିଟି ତାଙ୍କ ନିକଟରେ ପହଞ୍ଚିଥିଲା । ସେ ଏହାର ଲିଖିତ ଉତ୍ତର ମଧ୍ୟ ଦେଇଛନ୍ତି ଏବଂ ସାକ୍ଷାତ କରିପାରିବାରେ ଅସମର୍ଥତାର କାରଣ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଛନ୍ତି। ପ୍ରଧାନ ବିଚାରପତି ଗତକାଲି ପାଇଁ ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ଥିଲା ଏବଂ ସେ ଦିଲ୍ଲୀ ସହର ବାହାରେ ଥିଲେ । ସେଥିପାଇଁ ସେ ଭେଟି ପାରିବେ ନାହିଁ ବୋଲି କହିଥିଲେ ।
ନ୍ୟାୟିକ ନିରପେକ୍ଷତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନ ବିଚାରପତି କହିଛନ୍ତି ଯେ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଅଦାଲତର ଦ୍ୱାର ସର୍ବଦା ଖୋଲା ରହିଛି। ସାଧାରଣ ନାଗରିକ ହୁଅନ୍ତୁ କିମ୍ବା ସଂସଦ କିମ୍ବା ବିଧାନସଭା ଭଳି ନିର୍ବାଚିତ ସଂସ୍ଥାର ସଦସ୍ୟ, ଯିଏ କେହି ମଧ୍ୟ ଉପଯୁକ୍ତ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଆବେଦନ ଦାଖଲ କରିପାରିବେ।