ନୂଆଦିଲ୍ଲୀ: ରାଜଧାନୀରେ ‘କକ୍ରୋଚ୍ ଜନତା ପାର୍ଟି’ (CJP)ର ପ୍ରଦର୍ଶନକୁ ଦିଲ୍ଲୀ ପୋଲିସ କାହିଁକି ଅନୁମତି ଦେଲା ନାହିଁ, ସେ ନେଇ ପୋଲିସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପୂର୍ବ ପ୍ରଦର୍ଶନଗୁଡ଼ିକରେ କେମିତି ଆଇନର ଉଲ୍ଲଂଘନ ହୋଇଥିଲା ଏବଂ ପୂର୍ବର ହିଂସାକାଣ୍ଡ କିପରି ଏହି କଟକଣା ପଛର ମୁଖ୍ୟ କାରଣ ସାଜିଛି, ତାହା ପୋଲିସ ସାମ୍ନାକୁ ଆଣିଛି।
ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ନେହା ଯାଦବ ସିଜେପି ପ୍ରଦର୍ଶନ ଏବଂ ଏହାର ସଂଯୋଜକଙ୍କୁ ଅଟକ ରଖାଯିବା ପ୍ରସଙ୍ଗରେ ବିସ୍ତୃତ ସୂଚନା ଦେଇଛନ୍ତି। ପୋଲିସ କହିଛି ଯେ ଗତଥର ପ୍ରଦର୍ଶନ ବେଳେ ଯେଉଁ ସର୍ତ୍ତଗୁଡ଼ିକ ରଖାଯାଇଥିଲା, ଆନ୍ଦୋଳନକାରୀମାନେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଅମାନ୍ୟ କରିଥିଲେ।
ପୂର୍ବ ଆଚରଣ ଓ ଆଇନ ଉଲ୍ଲଂଘନ ଅଭିଯୋଗ
ଡିସିପି କହିଛନ୍ତି ଯେ ସିଜିପିର ପୂର୍ବ ଆଚରଣ ସନ୍ତୋଷଜନକ ନଥିଲା। ପୂର୍ବରୁ ଯେତେବେଳେ ସେମାନଙ୍କୁ ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା, ସେମାନେ ପ୍ରଶାସନର କୌଣସି ନିୟମ କିମ୍ବା ସର୍ତ୍ତକୁ ପାଳନ କରିନଥିଲେ। ସେତେବେଳେ ପ୍ରଦର୍ଶନକାରୀଙ୍କ ଭିଡ଼ ଦ୍ୱାରା ବ୍ୟାପକ ପଥରବାଜି, ପୋଡ଼ାଜଳା ଏବଂ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସବୁ କାରଣକୁ ଦୃଷ୍ଟିରେ ରଖି ଏଥର ସେମାନଙ୍କୁ କଡ଼ା କଟକଣା ଏବଂ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଛି।
ଏଥିସହ, ପୋଲିସର ଛବିକୁ ଜାଣିଶୁଣି ଭୁଲ୍ ଭାବେ ଉପସ୍ଥାପନ କରାଯାଉଥିବା ପୋଲିସ ପକ୍ଷରୁ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ, ସିଜିପି ସଂଯୋଜକ ଅଭିଜିତ୍ ଦୀପକେଙ୍କ ପରିବାରରେ ଘଟିଥିବା ଦୁଃଖଦ ଘଟଣାକୁ (ଦାଦୀଙ୍କ ଦେହାନ୍ତ) ଆଖିଆଗରେ ରଖି ମାନବିକତା ଆଧାରରେ ତାଙ୍କୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯାଇଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।