ନୂଆଦିଲ୍ଲୀ: ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ପ୍ରତିଷ୍ଠାତା ତଥା ଯୁବ ଆକ୍ଟିଭିଷ୍ଟ ଅଭିଜିତ୍ ଦୀପକେଙ୍କୁ ତାଙ୍କ ଦାଦୀଙ୍କ ଦେହାନ୍ତ ସମ୍ପର୍କରେ ପୋଲିସ ପକ୍ଷରୁ ଅବଗତ କରାଯାଇଥିଲା। ମାତ୍ର ସେ ପରିବାର ଲୋକଙ୍କ ସହ ଫୋନ୍ରେ କଥା ହେବାକୁ ମନା କରିଦେଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ ଦାବି କରାଯାଇଛି। ଏନେଇ ପୋଲିସ ଏକ ସିସିଟିଭି ଫୁଟେଜ୍ ମଧ୍ୟ ଜାରି କରିଛି।
ପୋଲିସର ସିସିଟିଭି ଫୁଟେଜ୍ ଓ ଦାବି
ଦିଲ୍ଲୀ ପୋଲିସ ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ପୋଲିସ କର୍ମଚାରୀମାନେ ଅଭିଜିତ୍ ଦୀପକେଙ୍କ ନିକଟକୁ ଯାଇ ତାଙ୍କୁ ତାଙ୍କ ଦାଦୀଙ୍କ ପରଲୋକ ସମ୍ପର୍କରେ ସୂଚନା ଦେଉଛନ୍ତି। ଏହି ସମୟରେ ତାଙ୍କୁ ଘରକୁ ଯିବା ପାଇଁ ଫ୍ଲାଇଟ୍ ବ୍ୟବସ୍ଥା କିମ୍ବା ପରିବାର ଲୋକଙ୍କ ସହ ଫୋନ୍ରେ କଥା ହେବା ପାଇଁ ସହଯୋଗର ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଦୀପକେ ପରିବାର ସହ କଥା ହେବାକୁ ମନା କରିଥିବା ପୋଲିସ କହିଛି।
ପୋଲିସର କହିବା ଅନୁଯାୟୀ, ଦୀପକେଙ୍କୁ ଏନେଇ ଚିନ୍ତା କରିବାକୁ ସମୟ ମଧ୍ୟ ଦିଆଯାଇଥିଲା ଏବଂ ପୁଣିଥରେ ସହାୟତା ପାଇଁ ପଚରାଯାଇଥିଲା। ଭିଡିଓରେ ଅଭିଜିତ୍ ଭାବୁକ ଅବସ୍ଥାରେ ମୁଣ୍ଡ ନୁଆଁଇ ବସିଥିବା ଏବଂ ଆଖିରୁ ପାଣି ପୋଛୁଥିବା ନଜର ଆସିଛନ୍ତି। ପରେ ସେଠାରେ ଉପସ୍ଥିତ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ତାଙ୍କୁ ଗାଁକୁ ଯିବା ପାଇଁ ଟ୍ରାଭେଲ୍ ବ୍ୟବସ୍ଥା କରିଦେବାକୁ କହିଥିଲେ।
ପୂର୍ବରୁ ସିଜେପି ପକ୍ଷରୁ କରାଯାଇଥିବା ପ୍ରେସ୍ କନ୍ଫରେନ୍ସରେ ଏହି ପ୍ରସଙ୍ଗକୁ ଭୁଆଁ ବୁଲାଯାଇଥିବା ଏବଂ ତଥ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଥିବା ପୋଲିସ ଦାବି କରିଛି। ସେହି ତଥ୍ୟକୁ ଖଣ୍ଡନ କରିବା ପାଇଁ ହିଁ ଦିଲ୍ଲୀ ପୋଲିସ ଏହି ସିସିଟିଭି ଭିଡିଓ ସାର୍ବଜନୀକ କରିଛି, ଯେଉଁଥିରେ ପୋଲିସ କର୍ମଚାରୀ ଦୀପକେଙ୍କୁ ଖବର ଦେଉଥିବା ସ୍ପଷ୍ଟ ଭାବେ ନଜର ଆସୁଛି।
Also Read: CJP ପ୍ରଦର୍ଶନ ମଝିରେ ରାହୁଲ ଗାନ୍ଧୀଙ୍କ ବଡ଼ ଆହ୍ୱାନ,'ଆସନ୍ତାକାଲି ସୁପ୍ରିମକୋର୍ଟ ଅଭିମୁଖେ ମାର୍ଚ୍ଚ କରିବ ସାରା ଭାରତ'