ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ‘କକ୍ରୋଚ୍ ଜନତା ପାର୍ଟି’(CJP)ର ଚାଲିଥିବା ଆନ୍ଦୋଳନ ମଧ୍ୟରେ ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତାକାଲି ସୋମବାର ଶର ସଂବିଧାନ ଓ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା କରାଯିବ ଏବଂ ଭାରତର ମୁଖ୍ୟ ବିଚାରପତି (CJI) ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ରାହୁଲ ଗାନ୍ଧୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟ (X) ରେ ଏକ ଭିଡିଓ ବାର୍ତ୍ତା ଜାରି କରି ଦେଶବାସୀ, ବିରୋଧୀ ଦଳ, ନାଗରିକ ସମାଜ (ସିଭିଲ୍ ସୋସାଇଟି) ଏବଂ ସାଧାରଣ ଜନତାଙ୍କୁ ଏହି ମାର୍ଚ୍ଚରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।
'ଦେଶର ଯୁବବର୍ଗଙ୍କ ଉପରେ ହୋଇଛି ଆକ୍ରମଣ'
ରାହୁଲ ଗାନ୍ଧୀ ଭିଡିଓରେ କହିଛନ୍ତି ଯେ, ଗତକାଲି ଦିଲ୍ଲୀ ରାଜପଥରେ ଦେଶର ଯୁବକମାନେ ଶାନ୍ତିପୂର୍ଣ୍ଣ ଭାବେ ନିଜର ପ୍ରତିବାଦ ଜଣାଉଥିଲେ। ସେମାନଙ୍କ ମନରେ କୌଣସି ହିଂସା କିମ୍ବା ଘୃଣା ନଥିଲା, ବରଂ ସେମାନେ ଦେଶପ୍ରେମ ନେଇ ଆସିଥିଲେ। କିନ୍ତୁ ପୋଲିସ ଏବଂ ଶାସକ ଦଳର ଲୋକମାନେ ସେମାନଙ୍କୁ ନିଷ୍ଠୁର ଭାବେ ମାଡ଼ ମାରିଛନ୍ତି। ଆମେ ଏଭଳି ଭାରତ କେବେବି ଚାହୁଁନାହୁଁ।
ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ୱାନ
ସେ ଆହୁରି କହିଛନ୍ତି, "ସୋମବାର ଆମେ କୌଣସି ରାଜନୈତିକ ଦଳ, ଜାତି, ଧର୍ମ, ଲିଙ୍ଗ କିମ୍ବା ରାଜ୍ୟର ସୀମା ଭିତରେ ଆବଦ୍ଧ ନରହି, କେବଳ 'ଭାରତୀୟ' ଭାବେ ସୁପ୍ରିମ୍ କୋର୍ଟ ଆଡ଼କୁ ପାଦ ବଢ଼ାଇବୁ। ଯେଉଁମାନେ ସଂବିଧାନକୁ ବିଶ୍ୱାସ କରନ୍ତି ଏବଂ ଗଣତନ୍ତ୍ରକୁ ବଞ୍ଚାଇବାକୁ ଚାହାନ୍ତି, ସେମାନେ ସମସ୍ତେ ଆମ ସହିତ ଏହି ମାର୍ଚ୍ଚରେ ପାଦ ମିଶାନ୍ତୁ।"