ମିଳିତ ଜାତିସଂଘ (UN) ମଞ୍ଚରେ ଆଇନର ଶାସନକୁ ନେଇ ବଡ଼ ବଡ଼ କଥା କହୁଥିବା ପାକିସ୍ତାନକୁ ଶାଣିତ ଜବାବ ଦେଇଛି ଭାରତ। ଜାତିସଂଘରେ ଭାରତୀୟ ପ୍ରତିନିଧି ପାକିସ୍ତାନର ଅସଲ ଚେହେରାକୁ ବିଶ୍ୱ ଦରବାରରେ ପଦାରେ ପକାଇଛନ୍ତି। ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ମିଶନର କାଉନସେଲର ଆର. ମୈଥିଲୀ ପାକିସ୍ତାନକୁ ଆଇନା ଦେଖାଇ କହିଛନ୍ତି ଯେ, "ଯେଉଁ ଦେଶରେ ସେନା ହିଁ ଶାସନ ଏବଂ ସେନା ହିଁ ଆଇନ୍, ସେହି ମୁଲକ ବିଶ୍ୱକୁ ଆଇନର ଶାସନ ଉପରେ ଉପଦେଶ ଦେବାର କୌଣସି ନୈତିକ ଅଧିକାର ରଖେନାହିଁ।"
ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଆଇନର ଶାସନ ଉପରେ ପାକିସ୍ତାନ ଦେଇଥିବା ଟିପ୍ପଣୀକୁ ଭାରତ କଡ଼ା ଭାଷାରେ ପ୍ରତ୍ୟାଖ୍ୟାନ କରିଛି। ଜାତିସଂଘ ମହାସଭାର ଷଷ୍ଠ ସମିତିରେ ‘ରାଷ୍ଟ୍ରୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଆଇନର ଶାସନ’ ବିଷୟରେ ଚାଲିଥିବା ଆଲୋଚନା ସମୟରେ ପାକିସ୍ତାନର ଅନାବଶ୍ୟକ ବକ୍ତବ୍ୟ ପରେ ଭାରତ ନିଜର ‘ରାଇଟ୍ ଟୁ ରିପ୍ଲାଇ’ (ଜବାବ ଦେବାର ଅଧିକାର) ର ବ୍ୟବହାର କରି ପାକ୍ ପ୍ରଚାରକୁ ଧୂଳିସାତ୍ କରିଛି।
'ନିଜ ରେକର୍ଡ଼ ହିଁ ଆଇନର ମଜାକ୍ ଉଡ଼ାଉଛି'
ଜାତିସଂଘରେ ଭାରତର ସ୍ଥାୟୀ ମିଶନର କାଉନସେଲର ଆର. ମୈଥିଲୀ କହିଛନ୍ତି, "ଏହା ଅତ୍ୟନ୍ତ ବିଡ଼ମ୍ବନାର ବିଷୟ ଯେ ଏପରି ଏକ ଦେଶଠାରୁ ଆମକୁ ଆଇନର ଶାସନ ଉପରେ ଉପଦେଶ ଶୁଣିବାକୁ ମିଳୁଛି, ଯାହାର ନିଜର ରେକର୍ଡ଼ ଆଇନର ଶାସନକୁ ପ୍ରତିଦିନ ମଜାକ୍ ଉଡ଼ାଉଛି।" ପାକିସ୍ତାନ ଜାତିସଂଘରେ ଆଇନର ଶାସନ ସୁରକ୍ଷା କରିବାର ଦାବି କରୁଛି, ଅଥଚ ନିଜ ଦେଶରେ ସେନା ହିଁ ନିଷ୍ପତ୍ତି ନିଏ ଯେ ଆଇନ୍ କିପରି ଲାଗୁ ହେବ।
ସୈନ୍ୟ ଶାସକଙ୍କୁ ଅଦାଲତରୁ ଛାଡ଼, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜେଲ୍
ଭାରତୀୟ କୂଟନୀତିଜ୍ଞ ପାକିସ୍ତାନର ଆଭ୍ୟନ୍ତରୀଣ ସ୍ଥିତିକୁ ପଦାରେ ପକାଇ କହିଛନ୍ତି ଯେ, ଯେଉଁ ଦେଶ ନିଜ ସୈନ୍ୟ ଶାସକମାନଙ୍କୁ ନିଜ ନିଜ ନିଜ ଅଦାଲତର ଅଧିକାର କ୍ଷେତ୍ରରୁ ବାହାରେ ରଖେ, ସେହି ଦେଶ ଏହି ସମିତିରେ ଜ୍ଞାନ ବାଣ୍ଟିବା ଶୋଭାପାଏ ନାହିଁ।
ସେହିପରି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ମନମୁଖୀ ଭାବେ ଜେଲ୍ରେ ରଖାଯିବା ଏବଂ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କୁ ଚିକିତ୍ସା ସେବାରୁ ବଞ୍ଚିତ କରାଯିବା ଘଟଣାକୁ ନେଇ ଭାରତ କଡ଼ା ସମାଲୋଚନା କରିଛି। ଯେଉଁ ଦେଶରେ ଆଜି ପର୍ଯ୍ୟନ୍ତ କୌଣସି ବି ନିର୍ବାଚିତ ସରକାର ନିଜର ପୂର୍ଣ୍ଣ କାର୍ଯ୍ୟକାଳ ଶେଷ କରିପାରିନାହାଁନ୍ତି, ସେଠାରେ ଆଇନର ଶାସନ ବୋଲି କିଛି ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି।