ନୂଆଦିଲ୍ଲୀ: ମଧ୍ୟ ଆମେରିକୀୟ ଦେଶ ‘ପାନାମା’ରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । କିଛି ସମୟ ବ୍ୟବଧାନରେ ଦୁଇ ଦୁଇ ଥର ଭୂକମ୍ପ ଝଟକାରେ ପାନାମା ଥରି ଉଠିଛି । ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟେର୍ ସ୍କେଲରେ ୭.୭ ଥିବାବେଳେ ଅଳ୍ପ ସମୟ ପରେ ହୋଇଥିବା ଭୂକମ୍ପର ତୀବ୍ରତା ୬.୬ ଥିଲା । ଫଳରେ ବହୁ କୋଠା ଭୁଶୁଡ଼ି ପଡ଼ିଛି ।
ଆମେରିକୀୟ ଭୂବୈଜ୍ଞାନିକ ସର୍ଭେକ୍ଷଣ ସୂଚନା ଆଧାରରେ, ଶୁକ୍ରାବର ଭୂକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ପାନାମାର ଦକ୍ଷିଣରେ ତିବା ପିତାଲୋସା ଅରିବା ଠାରୁ ପ୍ରାୟ ୧୦କିଲୋମିଟର ଦକ୍ଷିଣ-ପଶ୍ଚିମରେ କେନ୍ଦ୍ରୀଭୂତ ଥିଲା। ଭୂମିକମ୍ପ ଭୂପୃଷ୍ଠ ଠାରୁ ପାଖାପାଖି ୧୦କିଲୋମିଟର ଗଭୀରରେ ହୋଇଥିଲା। ଏହି କାରଣରୁ ଲୋକେ ତୀବ୍ର ଝଟକା ଅନୁଭବ କରିଥିଲେ।
ପାନାମା ରାଜଧାନୀ ପାନାମା ସିଟ ପର୍ଯ୍ୟନ୍ତ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ବଡ଼ ବଡ଼ କୋଠାବାଡ଼ି ଦୋହଲିବା ସହିତ କିଛି କୋଠା ଭୁଶୁଡ଼ି ପଡ଼ିଛି । ଘରର ଆସବାବ ପତ୍ର ଏତେତେଣେ ପଡ଼ିଯାଇଥିଲା । ଘରଠାରୁ ଆରମ୍ଭ କରି ଗଛ ଯାଏ ସବୁକିଛି ପ୍ରବଳ ବେଗରେ ଦୋହଲିବାକୁ ଲାଗିଥିଲା । ଲୋକମାନେ ଘରୁ ବାହାରି ଭୟରେ ସୁରକ୍ଷିତ ଆଶ୍ରୟସ୍ଥଲକୁ ଚାଲି ଯାଇଥିଲେ ।
ଭୂକମ୍ପର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଛାତି ଥରି ଉଠିଛି । ତେବେ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।