ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ମହାନ ବ୍ୟାଟର ତଥା ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନ୍ୱୟ ଦ୍ରାବିଡ଼ ଏବେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ରାହୁଲ ଦ୍ରାବିଡ଼ ନିଜ କ୍ରିକେଟ୍ ଜୀବନରେ ଧୈର୍ଯ୍ୟ ଏବଂ ଟେକ୍ନିକ୍ ପାଇଁ ପ୍ରସିଦ୍ଧ ଥିଲେ, କିନ୍ତୁ ତାଙ୍କ ପୁଅ ଅନ୍ୱୟ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।
ଭେଟେରାନ ଖେଳାଳିଙ୍କ ସନ୍ତାନମାନେ କିପରି ନିଜର ଅଲଗା ପରିଚୟ ସୃଷ୍ଟି କରୁଛନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ‘ଭେନୁ ମାଙ୍କଡ଼ ଟ୍ରଫି’ରେ। ୧୭ ବର୍ଷୀୟ ଅନ୍ୱୟ ଦ୍ରାବିଡ଼ ଏହି ପ୍ରତିଯୋଗିତାରେ କର୍ଣ୍ଣାଟକ ଅଣ୍ଡର-୧୯ ଦଳର କ୍ୟାପ୍ଟେନ୍ ଦାୟିତ୍ୱ ତୁଲାଇବା ସହ ଉଇକିପର ଭୂମିକାରେ ମଧ୍ୟ ନଜର ଆସୁଛନ୍ତି। ସୋମବାର ଦିଲ୍ଲୀ ବିପକ୍ଷ ମ୍ୟାଚ୍ରେ ଚତୁର୍ଥ କ୍ରମରେ ବ୍ୟାଟିଂ କରିବାକୁ ଆସି ଅନ୍ୱୟ ମାତ୍ର ୪୧ ବଲ୍ରୁ ୮୫ ରନ୍ର ଏକ ବିସ୍ଫୋରକ ପାଳି ଖେଳିଥିଲେ।
ତାଙ୍କର ଏହି ବିସ୍ଫୋରକ ଇନିଂସରେ ମୋଟ ୧୨ଟି ବାଉଣ୍ଡ୍ରି (୭ଟି ଚୌକା ଏବଂ ୫ଟି ଭବ୍ଯ ଛକା) ସାମିଲ ଥିଲା। ଏହି ସମୟରେ ତାଙ୍କର ବ୍ୟାଟିଂ ଷ୍ଟ୍ରାଇକ୍ରେଟ୍ ୨୦୭.୩୨ ରହିଥିଲା। ଯଦିଓ ସେ ଶତକ ହାସଲ କରିବାରୁ ମାତ୍ର ୧୫ ରନ୍ ପାଇଁ ବଞ୍ଚିଗଲେ, ତଥାପି ତାଙ୍କର ଏହି ପ୍ରଦର୍ଶନ ଦର୍ଶକଙ୍କ ମନ ଜିତି ନେଇଛି।
କର୍ଣ୍ଣାଟକର ବିଶ୍ୱାଳ ସ୍କୋର ଏବଂ ବଡ଼ ବିଜୟ
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା କର୍ଣ୍ଣାଟକ ଦଳ ନିର୍ଦ୍ଧାରିତ ୪୯ ଓଭରରେ ୪ ୱିକେଟ୍ ହରାଇ ୪୧୮ ରନ୍ର ଏକ ବିଶାଳ ପାହାଡ଼ ଠିଆ କରିଥିଲା। ଅନ୍ୱୟଙ୍କ ବ୍ୟତୀତ ଦଳର ଅନ୍ୟ ବ୍ୟାଟର ଧ୍ରୁବ କୃଷ୍ଣନ ମାତ୍ର ୫୧ ବଲ୍ରୁ ୧୦୩ ରନ୍ (୯ ଚୌକା, ୭ ଛକା) ଏବଂ ନୀତିଶ ଆର୍ଯ୍ୟ ୧୦୯ ବଲ୍ରୁ ୧୧୧ ରନ୍ (୯ ଚୌକା, ୬ ଛକା) କରି ଶତକ ଅର୍ଜନ କରିଥିଲେ।
୪୧୯ ରନ୍ର ବିଶାଳ ଲକ୍ଷ୍ୟର ପିଛା କରିବାକୁ ଆସିଥିବା ଦିଲ୍ଲୀ ଦଳ କର୍ଣ୍ଣାଟକର ମାପଚୁପ ବୋଲିଂ ଆଗରେ ତିଷ୍ଠି ପାରି ନଥିଲା। ଦିଲ୍ଲୀ ୪୧.୧ ଓଭରରେ ମାତ୍ର ୨୨୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଫଳରେ କର୍ଣ୍ଣାଟକ ଏହି ମ୍ୟାଚ୍କୁ ୧୯୮ ରନ୍ର ବ୍ୟବଧାନରେ ଜିତି ନେଇଛି। ବୋଲିଂରେ କର୍ଣ୍ଣାଟକ ପକ୍ଷରୁ ଧ୍ୟାନ ଏମ୍. ହୀରେମଠ ସର୍ବାଧିକ ୫ଟି ୱିକେଟ୍ ଅକ୍ତିଆର କରିଥିଲେ।