ରାଞ୍ଚି: ଜେଏସସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଛକା-ଚୌକାର ବର୍ଷା । ଏଠାରେ ଖେଳା ଯାଉଥିବା ଦ୍ୱିତୀୟ ଟି-୨୦ରେ ବ୍ୟାଟର ଧୂଆଁଧାର ବ୍ୟାଟିଂ କରି ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୨୪୯ ରନର ବିଶାଳ ସ୍କୋର ଛିଡା କରିଛି । ସଞ୍ଜୁ ସାମସନ ୮୨ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଇଶାନ କିଶନ ୪୩, ଶ୍ରେୟସ ଆୟର ୪୦ ଏବଂ ତିଳକ ବର୍ମା ଅପରାଜିତ ୪୪ ରନର ଧୂଆଁଧାର ଇନିଂସ ଖେଳିଛନ୍ତି । ଭ୍ରମଣକାରୀ ଦଳ ସାମ୍ନାରେ ରହିଛି ୨୫୦ ରର ବିଜୟ ଲକ୍ଷ୍ୟ ।
ଦ୍ୱିତୀୟ ଟ୍ୱେଣ୍ଟି-୨୦ ମୁକାବିଲାରେ ଭ୍ରମଣକାରୀ ଦଳର ଅଧିନାୟକ ସାଇ ହୋପ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍ ପାଇଁ ୱେଷ୍ଟଇଣ୍ଡିଜ୍ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି, ମ୍ୟାଥ୍ୟୁ ଫୋର୍ଡଙ୍କ ସ୍ଥାନରେ ଗୁଡାକେଶ ମୋତିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆକୁ ଚତୁର୍ଥ ଓଭରରେ ପ୍ରଥମ ଝଟ୍କା ଲାଗିଥିଲା। ଓପନର ଅଭିଷେକ ଶର୍ମା ୧୨ଟି ବଲ୍ରୁ ୨୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ।
ଏହାପରେ ସଞ୍ଜୁ ସାମସନ ଓ ଇଶାନ କିଶନ ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ଉଭୟ ମାତ୍ର ୪୩ଟି ବଲ୍ରୁ ୯୭ ରନର ଭାଗୀଦାରୀ ଗଢ଼ିଥିଲେ। ଇଶାନ କିଶନ ୨୨ଟି ବଲ୍ରୁ ୪୩ ରନ୍ କରି ଆଉଟ୍ ହୋଇଥିବା ବେଳେ ଶିବମ ଦୁବେ ମାତ୍ର ୭ ରନ୍ କରି ଶସ୍ତାରେ ଆଉଟ୍ ହୋଇଥିଲେ। ଅନ୍ୟପଟେ ସଞ୍ଜୁ ସାମସନ ମାତ୍ର ୪୧ଟି ବଲ୍ରୁ ୯ଟି ଚୌକା ଓ ୪ଟି ବିଶାଳ ଛକା ସହାୟତାରେ ୮୨ ରନର ଆକ୍ରମଣାତ୍ମକ ପାରି ଖେଳିଥିଲେ।
ଶେଷ ଆଡକୁ ଅଧିନାୟକ ଶ୍ରେୟସ ଆୟର ଓ ତିଳକ ବର୍ମା ଧୂଆଁଧାର ବ୍ୟାଟିଂ କରିଥିଲେ । ଆୟର ୧୮ ବଲରୁ ୩ ଚୌକା ଓ ୩ ଛକା ଜରିଆରେ ୪୦ ରନ କରିଥିଲେ । ତିଳକ ମଧ୍ୟ ସମାନ ୧୮ ବଲରୁ ୩ ଚୌକା ଓ ୩ ଛକା ସହ ୪୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଫଳରେ ଭାରତ ୨୪୯ ରନ କରି ପାରିଛି ।