ଲକ୍ଷ୍ନୌ: ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଖେଳା ଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ୧୯.୧ ଓଭରରେ ୧୭୧ ରନରେ ଅଲଆଉଟ୍ ହୋଇଛି । ଭାରତ ସାମ୍ନାରେ ରହିଛି ୧୭୨ ରନର ବିଜୟ ଲକ୍ଷ୍ୟ । ଭ୍ରମଣକାରୀ ଦଳ ପକ୍ଷରୁ ସାଇ ହୋପ୍ ୫୨ ରନ ଓ ଶେରେଫନ ରଦରଫର୍ଡ ୫୬ ରନର ଦମଦାର ଇନିଂସ ଖେଳିଛନ୍ତି ।
ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଏବଂ ଦଳର ସ୍କୋର ୧୫୦ ଅତିକ୍ରମ କରିବା ମଧ୍ୟ କଷ୍ଟକର ଜଣାପଡ଼ୁଥିଲା। ମାତ୍ର ୧୦୭ ରନ୍ ମଧ୍ୟରେ ଦଳ ନିଜର ପ୍ରମୁଖ ୪ଟି ଓ୍ଵିକେଟ୍ ହରାଇସାରିଥିଲା। ସ୍ଥିତି ଏପରି ଥିଲା ଯେ ୧୩୫ ରନ୍ ସୁଦ୍ଧା ୮ ଜଣ ବ୍ୟାଟ୍ସମ୍ୟାନ୍ ପାଭିଲିୟନ୍ ଫେରିଯାଇଥିଲେ।
ତେବେ ଏଭଳି ସଙ୍କଟଜନକ ପରିସ୍ଥିତିରେ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ ଅଧିନାୟକ ସାଇ ହୋପ୍ ଏବଂ ଶେରେଫନ ରଦରଫର୍ଡ। ଓପନିଂ କରିବାକୁ ଆସିଥିବା ଅଧିନାୟକ ସାଇ ହୋପ୍ ୩୭ଟି ବଲ୍ରୁ ୬ଟି ଚୌକା ଓ ୨ଟି ଛକା ସହାୟତାରେ ଦର୍ଶନୀୟ ୫୨ ରନ୍ କରିଥିଲେ।
ସେହିପରି ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଶେରେଫନ ରଦରଫର୍ଡ ଏକ ବିସ୍ଫୋରକ ଇନିଂସ ଖେଳି ମ୍ୟାଚ୍ର ରୂପରେଖ ବଦଳାଇ ଦେଇଥିଲେ। ସେ ମାତ୍ର ୩୪ଟି ବଲ୍ର ସମ୍ମୁଖୀନ ହୋଇ ୬ଟି ଚୌକା ଏବଂ ୩ଟି ବିଶାଳ ଛକା ବଳରେ ୫୬ ରନ୍ର ଚମତ୍କାର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ୍ଙ୍କ ଦାୟିତ୍ଵପୂର୍ଣ୍ଣ ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜ୍ ଏକ ସମ୍ମାନଜନକ ସ୍କୋର ଠିଆ କରିବାରେ ସଫଳ ହୋଇଛି।
ଭାରତୀୟ ବୋଲିଂ ଆକ୍ରମଣ ଆଗରେ କାରବିଆନ୍ ବ୍ୟାଟ୍ସମ୍ୟାନ୍ମାନେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ଘାତକ ବୋଲିଂ ପ୍ରଦର୍ଶନ କରି ନମନ ଧୀର ସର୍ବାଧିକ ୩ଟି ଓ୍ଵିକେଟ୍ ଅକ୍ତିଆର କରି ଦଳର ସଫଳତାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।କୁଲଦୀପ ଯାଦବ ଦୁଇଟି ସଫଳତା ପାଇଛନ୍ତି ।