ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ, ନିର୍ଭୁଲ ଏବଂ ଅଦ୍ୟତନ କରିବା ଲକ୍ଷ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ (CEO) କାର୍ଯ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅନ୍ତର୍ଗତ ଆସନ୍ତା ଅକ୍ଟୋବର ୭, ୮ ଓ ୯ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଅନୁଷ୍ଠିତ ହେବ।
ଏହି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ବିଗତ ପ୍ରକ୍ରିୟାରେ କୌଣସି କାରଣବଶତଃ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ବ୍ୟକ୍ତି ଏବଂ ନୂତନ ଭାବେ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିବା ଯୁବ ଭୋଟରମାନେ ନିଜର ନାମ ସାମିଲ କରିବାର ସୁବର୍ଣ୍ଣ ସୁଯୋଗ ପାଇବେ।
ନିୟମ ଅନୁଯାୟୀ, ଯେଉଁ ଯୁବକସମାଜ ଅକ୍ଟୋବର ୧, ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଛନ୍ତି, ସେମାନେ ଆବଶ୍ୟକୀୟ ଫର୍ମ-୬ ପୂରଣ କରି ନିଜର ନାମ ପଞ୍ଜୀକରଣ କରିପାରିବେ। ସେହିପରି ଏସଆଇଆର ପ୍ରକ୍ରିୟା ବେଳେ ଯେଉଁ ଯୋଗ୍ୟ ଭୋଟରମାନଙ୍କ ନାମ କୌଣସି ତ୍ରୁଟି ଯୋଗୁଁ ଚୂଡ଼ାନ୍ତ ତାଲିକାରୁ ବାଦ୍ ପଡ଼ିଥିଲା, ସେମାନେ ମଧ୍ୟ ଏହି ଅବସରରେ ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବେ।
ସ୍ୱଚ୍ଛତା ବଜାୟ ରଖିବା ପାଇଁ ଚିହ୍ନଟ ହୋଇଥିବା ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଏବଂ ଦୋହରା ଭୋଟରମାନଙ୍କ ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀ (CEO Odisha) ଏବଂ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଅଫିସିଆଲ୍ ୱେବସାଇଟରେ ପ୍ରକାଶ ପାଇବ। ଏଥିସହ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମଧ୍ୟ ଏହି ତାଲିକା ପ୍ରଦାନ କରାଯିବ, ଯାହାଫଳରେ ସେମାନେ ମଧ୍ୟ ଆବଶ୍ୟକ ସ୍ଥଳେ ଦାବି ଓ ଅଭିଯୋଗ ଦାଖଲ କରିପାରିବେ।
ନାମ ଯୋଡ଼ିବାକୁ ଚାହୁଁଥିବା ଆଗ୍ରହୀ ନାଗରିକମାନେ ନିଜ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀ (BLO) ଙ୍କ ସହିତ ସିଧାସଳଖ ଯୋଗାଯୋଗ କରିପାରିବେ। ବିଏଲଓମାନଙ୍କୁ ଏହି ପ୍ରକ୍ରିୟାକୁ ସୁଗମ ଓ ସହଜ କରିବା ପାଇଁ ପୂର୍ବରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।
ତେଣୁ ଅକ୍ଟୋବର ୭, ୮ ଏବଂ ୯ ତାରିଖ—ଏହି ତିନି ଦିନ ମଧ୍ୟରେ ନିଜ ନିକଟସ୍ଥ ବୁଥ୍ କିମ୍ବା ବିଏଲଓଙ୍କୁ ଭେଟି ଫର୍ମ-୬ ଜରିଆରେ ଆବେଦନ ପ୍ରକ୍ରିୟା ସମ୍ପନ୍ନ କରି ରାଜ୍ୟରେ ଏକ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ଗଠନରେ ସହଯୋଗ କରିବାକୁ ନିର୍ବାଚନ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।