କଟକ: ରାଜ୍ୟ ପୋଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି କଟକସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୧ତମ ବୃତ୍ତିଗତ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ମଙ୍ଗଳବାର ଡିଜିପି ବିନୟତୋଷ ମିଶ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୩୯ ଟି ପୋଲିସ ୟୁନିଟରୁ ୩୧୯ ଜଣ ପ୍ରତିଯୋଗୀ, ୪୫ ଶ୍ଵାନ, ୪୫ ଜଣ ହ୍ୟାଣ୍ଡେଲର ଅଂଶ ଗ୍ରହଣ କରିଛନ୍ତି । ୪୪ ଜଣ ଇନ୍ସପେକ୍ଟର, ୫୨ ଜଣ ଏସ.ଆଇ, ୫୪ ଜଣ ଏ.ଏସ.ଆଇ, ୧୭ ଜଣ ହାବିଲଦାର, ୧୫୨ ଜଣ କନଷ୍ଟେବଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।
ଏହି ଅବସରରେ ଡ଼ିଜିପି କହିଥିଲେ ଯେ, ଅପରାଧ ନିରାକରଣ, ସଠିକ୍ ତଦନ୍ତ ଏବଂ ଆଇନର ଶାସନ ସୁନିଶ୍ଚିତ କରିବା ପୋଲିସର ମୁଖ୍ୟ ଦାୟିତ୍ୱ। ଆଧୁନିକ ଅପରାଧର ପରିବର୍ତ୍ତିତ ସ୍ୱରୂପକୁ ଦୃଷ୍ଟିରେ ରଖି ସାଇବର ଅପରାଧ, ଅନଲାଇନ୍ ଠକେଇ, ନାରୀ ଓ ଶିଶୁଙ୍କ ବିରୋଧରେ ଅପରାଧ ଭଳି ନୂଆ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପୋଲିସ କର୍ମଚାରୀଙ୍କ ବୃତ୍ତିଗତ ଦକ୍ଷତା, ବୈଜ୍ଞାନିକ ଜ୍ଞାନ ଓ ପ୍ରଯୁକ୍ତିଗତ କୌଶଳକୁ ନିରନ୍ତର ଉନ୍ନତ କରିବା ଆବଶ୍ୟକ ।
ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଚୟନ କରାଯାଇ ଆଗାମୀ All India Police Duty Meet ପାଇଁ ଓଡ଼ିଶା ପୋଲିସର ଦଳ ଗଠନ କରାଯିବ । ଏହି ଅବସରରେ ଡିଜିପି ସମସ୍ତ ପ୍ରତିଯୋଗୀଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ପରସ୍ପରଠାରୁ ଶିଖି ଓଡ଼ିଶା ପୋଲିସର ଗୌରବ ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ।
ନାଗରିକଙ୍କ ସୁରକ୍ଷା, ମହିଳା ଓ ଶିଶୁଙ୍କ ସୁରକ୍ଷା, ସାମ୍ପ୍ରଦାୟିକ ସୌହାର୍ଦ୍ଦ ବଜାୟ ରଖିବା ଏବଂ ହିଂସା ରୋକିବା ପୋଲିସର ସର୍ବୋଚ୍ଚ ପ୍ରାଥମିକତା ବୋଲି ଡିଜିପି କହିଥିଲେ। ଜନସାଧାରଣଙ୍କ ଆସ୍ଥା ହେଉଛି ପୋଲିସର ସବୁଠାରୁ ବଡ଼ ଶକ୍ତି ଏବଂ ସତ୍ୟ, ନ୍ୟାୟ, ସମ୍ବେଦନଶୀଳତା ଓ ନିଷ୍ଠାର ସହିତ ପୋଲିସ କର୍ମଚାରୀମାନେ ଜନସେବା ଜାରି ରଖିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
ଆଇଜିପି, କ୍ରାଇମବ୍ରାଞ୍ଚ ଡ଼ଃ ସାର୍ଥକ ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେଉଛି । ଏହି ଅବସରରେ ଡ଼ଃ ସାର୍ଥକ ଷଡଙ୍ଗୀ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡି.ଆଇ.ଜି, କ୍ରାଇମବ୍ରାଞ୍ଚ, ଶ୍ରୀ ମଡ଼କର ସନ୍ଦୀପ ସମ୍ପଦ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ପୋଲିସର ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।