କୋରାପୁଟ: କୋରାପୁଟ ସୁନାବେଡାରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସୁନାବେଡାରେ ପହଞ୍ଚିଛନ୍ତି। ନୂଆଦିଲ୍ଲୀରୁ ବିଶାଖାପାଟଣା ଏବଂ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଜନାଥ ସିଂ ସୁନାବେଡାର ଟିଟିଏସ୍ ହେଲିପ୍ୟାଡ୍ରେ ପହଞ୍ଚିଥିଲେ।
ସୁନାବେଡାସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) କୋରାପୁଟ ଡିଭିଜନ୍ରେ ଆୟୋଜିତ ୨୦୦୦ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ HAL କୋରାପୁଟର ଯାତ୍ରାରେ ଏକ ବଡ଼ ମାଇଲଖୁଣ୍ଟ ବୋଲି କୁହାଯାଉଛି।
ଦୀର୍ଘ ୬ ଦଶନ୍ଧି ଧରି HAL କୋରାପୁଟ ଦେଶର ଏରୋସ୍ପେସ୍ ଓ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସୁଛି। ଭାରତୀୟ ସେନାବାହିନୀର ପରିଚାଳନାଗତ ପ୍ରସ୍ତୁତିରେ ମଧ୍ୟ ଏହି ପ୍ରତିଷ୍ଠାନର ଭୂମିକା ରହିଛି।
ଏହି ଅବସରରେ ୨୧୮ କୋଟି ଟଙ୍କାର ନିବେଶରେ ‘ଶକ୍ତି’ ଇଞ୍ଜିନ୍ର ଦ୍ୱିତୀୟ ନିର୍ମାଣ ଲାଇନ୍ର ଶୁଭାରମ୍ଭ କରାଯିବ। ଏହା HAL କୋରାପୁଟର ଉତ୍ପାଦନ କ୍ଷମତାକୁ ଆହୁରି ବଢ଼ାଇବା ସହ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଆତ୍ମନିର୍ଭରତାକୁ ଆହୁରି ମଜବୁତ କରିବା ଦିଗରେ ଏକ ପଦକ୍ଷେପ ବୋଲି କୁହାଯାଉଛି।
ଭାରତକୁ ପ୍ରତିରକ୍ଷା ଉପକରଣର ଆମଦାନିକାରୀ ଦେଶରୁ ପ୍ରତିରକ୍ଷା ପ୍ରଣାଳୀର ଡିଜାଇନର, ବିକାଶକାରୀ ଓ ଉତ୍ପାଦନକାରୀ ଦେଶ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି। ସୁନାବେଡାର ଏହି କାର୍ଯ୍ୟକ୍ରମ ଦେଶର ପ୍ରତିରକ୍ଷା ଉତ୍ପାଦନ ଓ ‘ଆତ୍ମନିର୍ଭର ଭାରତ’ ଅଭିଯାନ ପାଇଁ ଗୁରୁତ୍ୱ ବହନ କରୁଛି।