କଟକ : କମିଶନରେଟ୍ ପୋଲିସ ପକ୍ଷରୁ କଟକ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଏକ ସ୍ପେଶାଲ ଡ୍ରାଇଭ୍ କରାଯାଇଛି। ଏହାର ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୂଜା ସମୟରେ ଅପରାଧ ନିୟନ୍ତ୍ରଣ କରିବା ଏବଂ ସହରବାସୀଙ୍କୁ ସୁରକ୍ଷା ଯୋଗାଇଦେବା।
କଟକ ଡିସିପି ରିଷିକେଶ ଖିଲାରୀଙ୍କ ସୂଚନା ଅନୁଯାୟୀ, ଏହି ସ୍ପେଶାଲ ଡ୍ରାଇଭ୍ ଅଧୀନରେ ଅନେକ ପଦକ୍ଷେପ ନିଆଯାଇଛି। ମଡର୍ଣ୍ଣ କଣ୍ଟ୍ରୋଲ ରୁମରେ ସେ ନେଇ ବ୍ୟବସ୍ଥା ହୋଇଛି। ପୂରା ଦଶହରା ସହ ଭସାଣୀ ଶୋଭାଯାତ୍ରା ସିସିଟିଭି ନଜରରେ ରହିବ। ଲଗାଯାଇଥିବା ନୂଆ ସିସିଟିଭି ଅପରାଧୀଙ୍କ ଫେସ୍ ଡିଟେକ୍ସନ କରିବ।
ଜୋରଜବରଦସ୍ତ ଚାନ୍ଦା ଆଦାୟ ଓ ଦାଦାବଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଦୁର୍ଗା ପୂଜା ନାଁରେ ଯଦି କୌଣସି ବ୍ୟକ୍ତି ବା ଗୋଷ୍ଠୀ ଜୋରଜବରଦସ୍ତ ଚାନ୍ଦା ଆଦାୟ କିମ୍ବା ବ୍ୟବସାୟୀଙ୍କୁ ଦାଦାବଟି ମାଗନ୍ତି, ତେବେ ସେମାନଙ୍କୁ ସିଧାସଳଖ ଗିରଫ କରାଯାଇ ଜେଲ୍ ପଠାଯିବ।ଏପର୍ଯ୍ୟନ୍ତ ଜବରଦସ୍ତି ଚାନ୍ଦା ମାଗିଥିବା ୧୧ ମାମଲାରୁ ୭ ଜଣଙ୍କୁ ଗିରଫ କରାଯାଇଛି।
ଚାନ୍ଦା ସମ୍ପର୍କିତ ଅଭିଯୋଗ ପାଇଁ ପୋଲିସ ଏକ ସ୍ୱତନ୍ତ୍ର ନମ୍ବର ଜାରି କରିଛି ଯେଉଁଥିରେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ। ଜବରଦସ୍ତି ଚାନ୍ଦା ମାଗୁଥିଲେ 8280338303ରେ ମେସଜ କରିବାକୁ କୁହାଯାଇଛି।
ସେହିପରି ଅସାମାଜିକ ଓ ପେଶାଦାର ଅପରାଧୀଙ୍କ ଉପରେ ନଜର ରହିଛି। ପୂର୍ବତନ ଅପରାଧୀଙ୍କୁ ଚେତାବନୀ: ସହରର ପେଶାଦାର ଅପରାଧୀ ଏବଂ ୱାରେଣ୍ଟିମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଉଛି। ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସର ପାଟ୍ରୋଲିଂକୁ ବ୍ୟାପକ କରାଯାଇଛି।
କଟକର ପ୍ରସିଦ୍ଧ ଚାନ୍ଦି ମେଢ଼ଗୁଡ଼ିକର ସୁରକ୍ଷା ପାଇଁ ସ୍ୱତନ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯିବ। ସମସ୍ତ ପ୍ରମୁଖ ପୂଜା ପାଣ୍ଡାଲ ଓ ଭିଡ଼ ଜମୁଥିବା ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଜନସାଧାରଣ ଏବଂ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ଅପିଲ୍ କରାଯାଇଛି।