ଭୁବନେଶ୍ୱର: ଯାତ୍ରୀଙ୍କ ପାଇଁ ଓଡ଼ିଶା ଯାତ୍ରୀ ଆପ୍ରେ ଯୋଡ଼ି ହୋଇଛି ନୂଆ ସୁରକ୍ଷା ବ୍ୟବସ୍ଥା। ଯାତାୟାତ ସେବା ସହ ଏଣିକି ଜରୁରୀ ସମୟରେ ସୁରକ୍ଷା ସୁବିଧା ମଧ୍ୟ ଏହି ଗୋଟିଏ ପ୍ଲାଟଫର୍ମରୁ ମିଳିପାରିବ।
ଓଡ଼ିଶା ଯାତ୍ରୀରେ ଲଞ୍ଚ ହୋଇଥିବା ସେଫ୍ଟି ମଡ୍ୟୁଲରେ ୧୧ଟି ସୁରକ୍ଷା ସୁବିଧା ରହିଛି। ଏଥିରେ ଶେକ୍ ଟୁ ଆଲର୍ଟ, ଆଲାର୍ମ, ଲୋକେସନ୍ ସେୟାରିଂ ଓ ଜରୁରୀକାଳୀନ ସମ୍ପର୍କ ଭଳି ସୁବିଧା ରହିଛି।
ସେହିପରି One-Tap SOS ସୁବିଧା ଜରିଆରେ ସିଧାସଳଖ ଜାତୀୟ ଜରୁରୀକାଳୀନ ହେଲ୍ପଲାଇନ 112 ସହ ଯୋଗାଯୋଗ କରିହେବ। ଏହି ସୁରକ୍ଷା ବ୍ୟବସ୍ଥାକୁ ଓଡ଼ିଶା ପୁଲିସ ଓ 112 ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସହ ଯୋଡ଼ାଯାଇଛି। ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ରେ ଏହି ସୁବିଧା ଉପଲବ୍ଧ ରହିଛି।,ବର୍ତ୍ତମାନ ପ୍ରାୟ ୧.୮୬ ଲକ୍ଷ ୟୁଜର୍ଙ୍କ ପାଇଁ ସେଫ୍ଟି ମଡ୍ୟୁଲ ରୋଲଆଉଟ୍ ହୋଇଛି। ଅନ୍ୟପଟେ ଓଡ଼ିଶା ଯାତ୍ରୀର ମୋବିଲିଟି ସେବା ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି।
ଓଡ଼ିଶା ଯାତ୍ରୀ ଏପର୍ଯ୍ୟନ୍ତ ୧୦ ଲକ୍ଷ ଟ୍ରିପ୍ ସମ୍ପୂର୍ଣ୍ଣ କରିଥିବା ବେଳେ ପ୍ଲାଟଫର୍ମରେ ୬.୩୪ ଲକ୍ଷ ପଞ୍ଜୀକୃତ ୟୁଜର୍ ଓ ପ୍ରାୟ ୧୮.୬ ହଜାର ଡ୍ରାଇଭର ରହିଛନ୍ତି। ଡ୍ରାଇଭରମାନେ ଏପର୍ଯ୍ୟନ୍ତ ପ୍ରାୟ ୧୫.୫ କୋଟି ଟଙ୍କା ଆୟ କରିଛନ୍ତି। ବିଶେଷ କଥା ହେଉଛି, ଏହି ମଡେଲ୍ରେ ଡ୍ରାଇଭରଙ୍କ ଆୟରୁ କୌଣସି କମିଶନ୍ ରଖାଯାଉନାହିଁ।
୨୦୨୬ ଜାନୁଆରୀରେ ଓଡ଼ିଶା ଯାତ୍ରୀ ସର୍ବାଧିକ ମାସିକ ପ୍ରଦର୍ଶନ କରିଥିଲା। ଏହି ସମୟରେ ୩.୨୮ ଲକ୍ଷ ରାଇଡ୍ ସର୍ଚ୍ଚରୁ ୬୦ ହଜାର ଟ୍ରିପ୍ ହୋଇଥିଲା।
କେବଳ କ୍ୟାବ୍ ସେବା ନୁହେଁ, ଓଡ଼ିଶା ଯାତ୍ରୀରେ ବର୍ତ୍ତମାନ ଚାରିଟି ସହରରେ ଆମ ବସ୍ ସେବା ଏବଂ ସାତପଡ଼ାରେ ଡଲଫିନ୍ ବୋଟ୍ ଆସୋସିଏସନ୍ ସହଭାଗିତାରେ ବୋଟିଂ ସେବା ମଧ୍ୟ ଉପଲବ୍ଧ ହେଉଛି।
ଭୁବନେଶ୍ୱରରେ ହେବାକୁ ଥିବା 19ତମ Urban Mobility India Conference & Expo 2026ରେ ଓଡ଼ିଶା ଯାତ୍ରୀ ଏହାର ମୋବିଲିଟି ଓ ନାଗରିକ ସୁରକ୍ଷା ସେବା ପ୍ରଦର୍ଶନ କରିବ। ଡିଜିଟାଲ୍ ଟେକ୍ନୋଲୋଜି ଜରିଆରେ ଯାତାୟାତକୁ ସହଜ କରିବା ସହ ନାଗରିକଙ୍କୁ ଜରୁରୀ ସମୟରେ ସୁରକ୍ଷା ଦେବା ଦିଗରେ ଏହା ଏକ ନୂଆ ପଦକ୍ଷେପ।