ପୁଣେ: ପୁଣେ ଶିବାଜୀ ନଗର ଜିଲ୍ଲା ଅଦାଲତ ସମ୍ମୁଖରେ ଦିନ ଦ୍ୱିପହରରେ ବର୍ବରକାଣ୍ଡ ସମସ୍ତଙ୍କ ହୃଦୟ ଥରାଇ ଦେଇଛି । ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପ୍ରଥମେ ଗୁଳି ମାଡ଼ କରିବା ପରେ ଅଭିଯୁକ୍ତଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ।
ଦିନ ପ୍ରାୟ ୧ଟା ସମୟରେ ହତ୍ୟା ଅଭିଯୁକ୍ତ ମନ୍ଦାର କିୱାଲେଙ୍କୁ ଜିଲ୍ଲା ଅଦାଲତରେ ହାଜର କରିବାକୁ ଅଣାଯାଉଥିଲା । ଏହି ସମୟରେ ୬ ଜଣ ବ୍ୟକ୍ତି ବାଇକରେ ଆସି ପ୍ରଥମେ ଫାଙ୍କା ଗୁଳି ଚାଳନା କରିଥିଲେ । ଏହା ପରେ ଉକ୍ତ ଅଭିଯୁକ୍ତଙ୍କୁ ଖଣ୍ଡାରେ ହାଣି ଚାଲିଥିଲେ । ଏହା ପରେ ସେଠାରୁ ଚାଲି ଯାଇଥିଲେ । ତୁରନ୍ତ ପୋଲିସ ତାଙ୍କ ଉଦ୍ଧାର କରି ସାସୁନ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଏଥିରେ ଆଉ ଜଣେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।
ପୋଲିସ କହିଛି ଯେ ମୃତ ବ୍ୟକ୍ତି ମନ୍ଦାର ମାରୁତି କିଭ୍ଲେ ନିଜେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲା । ଗତ ବର୍ଷ ଏପ୍ରିଲ୍ ୨୦ ତାରିଖରେ, ପୁଣେର ସନ୍ତୋଷନଗର-କାତରାଜ ଅଞ୍ଚଳରେ ଜମି ଓ ଟଙ୍କା ପଇସାକୁ ନେଇ ହୋଇଥିବା ବିବାଦ ପରେ ଶୁଭମ ସୁଭାଷ ଚବନ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା ।