ପୁରୀ: ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ବିମାନବନ୍ଦର ସ୍ୱପ୍ନ ଏବେ ଆଉ ଏକ ପାଦ ଆଗେଇଛି। ବ୍ରହ୍ମଗିରି ରାସ୍ତାର ଶିପସରୁବାଲି ମୌଜାରେ ହେବାକୁ ଥିବା ଏହି ବିମାନବନ୍ଦର ପାଇଁ ଜଙ୍ଗଲ ବିଭାଗ ସମ୍ପର୍କିତ ସମସ୍ୟାର ସମାଧାନ ହୋଇଥିବା ବେଳେ ଏବେ CRZ କ୍ଲିୟରାନ୍ସ ମଧ୍ୟ ମିଳିଛି।
ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଏହା ପରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ସହଯୋଗରେ ବିମାନବନ୍ଦର ନିର୍ମାଣ ପ୍ରକ୍ରିୟାକୁ ଆଗେଇ ନିଆଯିବ। ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।
ପୂର୍ବରୁ ବିମାନବନ୍ଦର ପାଇଁ ଷ୍ଟେଜ୍-୧ ଅନୁମତି ମିଳିଥିଲା। ଅନୁମତିରେ ଥିବା ସର୍ତ୍ତଗୁଡ଼ିକ ପୂରଣ କରାଯାଇ ଆବଶ୍ୟକ ରିପୋର୍ଟ ଦାଖଲ କରାଯାଇଥିଲା। ବିମାନବନ୍ଦର ପାଇଁ ମୋଟ ୧,୧୬୪.୭୫୪ ଏକର ଜମି ଅଧିଗ୍ରହଣ ହୋଇଛି। ଏଥିରୁ ୨୨୧.୮୯୧ ଏକର ଘରୋଇ ଜମି ଥିବା ବେଳେ ୯୪୨.୮୬୩ ଏକର ସରକାରୀ ଜମି ରହିଛି। ଶିପସରୁବାଲି ଏବଂ ଷଣ୍ଢପୁର ମୌଜାରୁ ମୋଟ ୧୨୯ ପରିବାର ବିସ୍ଥାପିତ ହେବାକୁ ଥିବା ସୂଚନା ମିଳିଛି।
ବିସ୍ଥାପିତ ପରିବାରଗୁଡ଼ିକୁ ଜମି ଅଧିଗ୍ରହଣ ଓ ପୁନର୍ବାସ ଆଇନ ଅନୁଯାୟୀ କ୍ଷତିପୂରଣ ଓ ପୁନର୍ବାସ ସହାୟତା ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଗୃହ ସହାୟତା ଭାବେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା, ନୂତନ ଘର ନିର୍ମାଣ ପାଇଁ ୩.୩୯ ଲକ୍ଷ ଟଙ୍କାରୁ ଅଧିକ, ସ୍ଥାନାନ୍ତର ସହାୟତା ପାଇଁ ୧.୧୩ ଲକ୍ଷ ଟଙ୍କା ଏବଂ ଜୀବିକା ସହାୟତା ଭାବେ ଏକ ବର୍ଷ ପାଇଁ ୫୪,୩୦୦ ଟଙ୍କା ଦେବାର ବ୍ୟବସ୍ଥା ରହିଛି। ସେହିପରି ବ୍ୟବସାୟ ସହାୟତା ଅଧୀନରେ ଦୋକାନ ସ୍ଥାପନ ପାଇଁ ୨୫ ହଜାର ଟଙ୍କାର ପ୍ୟାକେଜ ମଧ୍ୟ ଘୋଷଣା କରାଯାଇଛି।
CRZ କ୍ଲିୟରାନ୍ସ ମିଳିବା ପରେ ପୁରୀର ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପ ନିର୍ମାଣ ଦିଗରେ ଆହୁରି ଗତି ପାଇଛି।