କଟକ: କଟକ ଆଠଗଡ ଚାନ୍ଦବାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କଲେଜରୁ କ୍ଲାସ୍ ସାରି ଘରକୁ ଫେରୁଥିବା ବେଳେ ଦୁଇଜଣ +୨ ଛାତ୍ରୀଙ୍କୁ ପଛପଟୁ ଧକ୍କା ଦେଇଥିଲା ଏକ ହାଇୱା। ଏଥିରେ ଜଣେ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ମୃତ ଛାତ୍ରୀ ଜଣକ ଆଠଗଡ ଗୋପବନ୍ଧୁ ମହିଳା ମହାବିଦ୍ୟାଳୟର +୨ ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି। ତାଙ୍କ ଘର ଢେଙ୍କାନାଳ ଦେଓପଡ଼ା ଗାଁରେ ବୋଲି ସୂଚନା ମିଳିଛି।
ଦୁର୍ଘଟଣା ପରେ ଅନ୍ୟ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଛି।
ଘଟଣାକୁ ନେଇ ଚାନ୍ଦବାଲି ଛକରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ଚାନ୍ଦବାଲି ଛକରେ ଟ୍ରାଫିକ୍ ପୁଲିସ ନିୟୋଜନ ଦାବିରେ ସ୍ଥାନୀୟ ଲୋକ, କଲେଜ ଛାତ୍ରଛାତ୍ରୀ ଓ ଆଠଗଡ଼ ବିଧାୟକ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ଉଦ୍ୟମ କରିଛି।