ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ସମସ୍ତ ଫର୍ମାଟର ଅଧିନାୟକ ପଦରୁ ହରମନପ୍ରୀତ ଓହରିଛନ୍ତି । ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସମସ୍ତ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । ଯାହା ତାଙ୍କର ପ୍ରଶଂସକଙ୍କୁ ଏକ ଶକ୍ତ ଝଟକା ଦେଇଛି ।
ହରମନ ଇନଷ୍ଟାଗ୍ରାମରେ ଏକ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଏହା ଏକ ସହଜ ନିଷ୍ପତ୍ତି ନୁହେଁ। ଏଥିରେ ଅନେକ ବର୍ଷର ସ୍ମୃତି, ଭାବନା, ତ୍ୟାଗ ଏବଂ ଏପରି କିଛି ମୁହୂର୍ତ୍ତ ଜଡ଼ିତ ରହିଛି, ଯାହା ମୋ ଜୀବନସାରା ମୋ ସହିତ ରହିବ। ନିଜ ସ୍ୱପ୍ନକୁ ପୂରଣ କରିବାକୁ ସେ ଭାରତୀୟ ମହିଳା କ୍ରିକେଟ ଦଳ ପାଇଁ ନିଜର ଝାଳ, ରକ୍ତ ଏବଂ ବହୁମୂଲ୍ୟ ସମୟ ଦେଇଛନ୍ତି । ସେହିପରି କ୍ୟାପଟେନ୍ ଭାବେ ଅନେକ କଠିନ ନିଷ୍ପତି ମଧ୍ୟ ନେଇଛନ୍ତି । କିନ୍ତୁ ନେଇଥିବା ପ୍ରତ୍ୟେକ ନିଷ୍ପତ୍ତି ପଛରେ ଗୋଟିଏ ଉଦ୍ଦେଶ୍ୟ ଥିଲା । ଏହି ଦଳକୁ ଆହୁରି ଉନ୍ନତ କରିବା ଏବଂ ଅନ୍ୟ ଖେଳାଳିମାନଙ୍କର ଉନ୍ନତି କରିବା, ନିଜ ଉପରେ ବିଶ୍ୱାସ ରଖିବା ଓ ନିଜର ସର୍ବଶ୍ରେଷ୍ଠ ପ୍ରଦାନ କରିବାକୁ ସୁଯୋଗ ଦେବା ବୋଲି ହରମନ କହିଛନ୍ତି ।
ହରମନ ଦେଇଛନ୍ତି ଅନେକ ସଫଳତା
୩୭ ବର୍ଷୀୟା ହରମନପ୍ରୀତ ଅନେକ ରେକର୍ଡର ଅଧିକାରିଣୀ ଅଟନ୍ତି। ଏଥିମଧ୍ୟରେ 2025ରେ ଭାରତକୁ ପ୍ରଥମ ଥର ମହିଳା ବିଶ୍ୱକପ୍ ଦେବା ତାଙ୍କର ସବୁଠାରୁ ସର୍ବଶ୍ରେଷ୍ଠ ଅବଦାନ । ସେ ପ୍ରଥମ ଥର ପାଇଁ ୨୦୧୨ ଏସିଆ କପ୍ରେ କେବଳ ଫାଇନାଲ୍ ମ୍ୟାଚ୍ରେ ଦଳର ନେତୃତ୍ୱ ନେଇଥିଲେ କିନ୍ତୁ ଅନ୍ୟ ମ୍ୟାଚରେ ମିତାଲି ରାଜ୍ ଅଧିନାୟକ ପଦ ସମ୍ଭାଳିଥିଲେ । କିନ୍ତୁ ହରମନଙ୍କ ଅଧିନାୟକତ୍ୱରେ ଦଳ ୨୦୧୨, ୨୦୧୬, ୨୦୨୨ ଏବଂ ୨୦୨୬ ମସିହାରେ ଏସିଆ କପ୍ ଟାଇଟଲ୍ ମଧ୍ୟ ଜିତିଥିଲା। ସେହିପରି 2022 ଏବଂ 2026 ଏସୀୟ କ୍ରୀଡ଼ାରେ ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା ।
ଭାରତୀୟ ମହିଳା ଦଳ ଜିତିଲା ପ୍ରଥମ ବିଶ୍ୱକପ୍
ହରମନଙ୍କ ବ୍ୟକ୍ତିଗତ ରେକର୍ଡ ଦେଖିବାକୁ ଗଲେ ଭାରତ ୨୦୨୫ ମସିହାରେ ପ୍ରଥମ ଥର ପାଇଁ ମହିଳା ଦିନିକିଆ ବିଶ୍ୱକପ୍ ଜିତିଥିଲା। ହରମନପ୍ରୀତ ବିଶ୍ୱକପ୍ ଜିତିବାରେ ପ୍ରଥମ ଭାରତୀୟ ମହିଳା ଅଧିନାୟିକା ହୋଇଥିଲେ। ୨୦୧୭ ବିଶ୍ୱକପ୍ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୧୭୧ ରନର ଏକ ଅପରାଜିତ ଇନିଂସ୍ ଖେଳିଥିଲେ ଯାହା ସ୍ମରଣୀୟ ଇନିଂସ୍ ଭାବରେ ସ୍ଥାନ ପାଇଛି ।
ହରମନପ୍ରୀତ ୨୦୧୮ ମସିହାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏକ ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟ ମ୍ୟାଚରେ ସେ ଶତକ ହାସଲ କରିଥିଲେ ଏବଂ ଏହି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇଥିଲେ। ବିଶ୍ୱର ପ୍ରଥମ କ୍ରିକେଟର ଭାବରେ ୨୦୦ଟି ଆନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି।
ଫେବୃଆରୀ ୨୦୨୬ରେ, ସେ ମୋଟ ୩୮୨ଟି ମ୍ୟାଚ୍ ଖେଳି ମହିଳା କ୍ରିକେଟରେ ସର୍ବାଧିକ ସଂଖ୍ୟକ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଖେଳାଳି ହୋଇଥିଲେ। ସେପ୍ଟେମ୍ବର ୨୦୨୬ରେ ରେକର୍ଡ ସ୍ଥାପନ କରି ସେ ବିଶ୍ୱର ପ୍ରଥମ କ୍ରିକେଟର ଭାବରେ ୧୫୦ଟି ଟି-ଟ୍ୱେଣ୍ଟି ମ୍ୟାଚରେ ଅଧିନାୟକତ୍ୱ କରିଥିଲେ।
୨୦୦୯ ମସିହାରେ ହରମନପ୍ରୀତ ପାକିସ୍ତାନ ବିପକ୍ଷ ଏକ ଦିନିକିଆ ମ୍ୟାଚ୍ ଜରିଆରେ ଭାରତ ପାଇଁ ଆନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ । ସେ ନିଜ କିକ୍ରେଟ ଜୀବନରେ ୮ଟି ଟେଷ୍ଟ, ୧୬୪ଟି ଦିନିକିଆ ଏବଂ ୨୧୦ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।
୨୦୧୭ ମସିହାରେ ତାଙ୍କୁ କ୍ରିକେଟ୍ ପାଇଁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୨୬ ମସିହାରେ ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ 'ପଦ୍ମଶ୍ରୀ' ପ୍ରଦାନ କରାଯାଇଥିଲା।