ନୂଆଦିଲ୍ଲୀ: କ୍ରିକେଟ୍ପ୍ରେମୀଙ୍କ ପାଇଁ ଏକ ବଡ଼ ଏବଂ ରୋମାଞ୍ଚକର ଖବର ସାମ୍ନାକୁ ଆସିଛି। ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ କେବଳ ଥରେ ନୁହେଁ, ବରଂ ଦୁଇଥର ମହାମୁକାବିଲା ଦେଖିବାକୁ ମିଳିବ। ଯଦି ଉଭୟ ଦଳ ଫାଇନାଲ୍ରେ ପ୍ରବେଶ କରନ୍ତି, ତେବେ ଏହି ସଂଖ୍ୟା ତିନିକୁ ବୃଦ୍ଧି ପାଇପାରେ। ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ପକ୍ଷରୁ ୨୦୨୭ ବିଶ୍ୱକପ୍ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ଏହି ସୂଚନା ସ୍ପଷ୍ଟ ହୋଇଛି।
କେବେ ଓ କେଉଁଠି ହେବ ଭାରତ-ପାକିସ୍ତାନ ମ୍ୟାଚ୍ ?
ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍ର ମିଳିତ ଆୟୋଜନ ଦକ୍ଷିଣ ଆଫ୍ରିକା, ନାମିବିଆ ଏବଂ ଜିମ୍ବାୱେ କରୁଛନ୍ତି। ଏହି ମେଗା ଟୁର୍ଣ୍ଣାମେଣ୍ଟ ୨୦୨୭ ଅକ୍ଟୋବର ୨ରୁ ଆରମ୍ଭ ହୋଇ ନଭେମ୍ବର ୨୧ ପର୍ଯ୍ୟନ୍ତ ଚାଲିବ। ଟୁର୍ଣ୍ଣାମେଣ୍ଟରେ ମୋଟ ୧୪ଟି ଦଳ ଭାଗ ନେଉଥିବା ବେଳେ ମୋଟ ୫୭ଟି ମ୍ୟାଚ୍ ଖେଳାଯିବ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଆସନ୍ତା ୨୦୨୭ ଅକ୍ଟୋବର ୧୦ରେ ଜୋହାନ୍ସବର୍ଗଠାରେ ଭାରତ ଏବଂ ପାକିସ୍ତାନ ପ୍ରଥମଥର ପାଇଁ ପରସ୍ପରକୁ ଭେଟିବେ। ଯଦି ଭାରତ, ପାକିସ୍ତାନ ସମେତ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଶ୍ରୀଲଙ୍କା ସୁପର-୭ ପର୍ଯ୍ୟନ୍ତ ସ୍ଥାନ ସୁନିଶ୍ଚିତ କରନ୍ତି, ତେବେ ନଭେମ୍ବର ୭ରେ କେପଟାଉନ୍ଠାରେ ଉଭୟ ଚିରପ୍ରତିଦ୍ୱନ୍ଦ୍ୱୀ ପୁନର୍ବାର ମୁହାଁମୁହିଁ ହେବେ।
ଭାରତର ଗ୍ରୁପ୍ ପର୍ଯ୍ୟାୟ ଏବଂ ସୁପର-୭ କାର୍ଯ୍ୟସୂଚୀ
ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର ଗ୍ରୁପ୍ ପର୍ଯ୍ୟାୟ ଏବଂ ସମ୍ଭାବ୍ୟ ସୁପର-୭ ମ୍ୟାଚ୍ଗୁଡ଼ିକର ତାଲିକା
ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍
ଅକ୍ଟୋବର ୧୦: ଭାରତ ବନାମ ପାକିସ୍ତାନ (ଜୋହାନ୍ସବର୍ଗ)
ଅକ୍ଟୋବର ୧୪: ଭାରତ ବନାମ ଆଫଗାନିସ୍ତାନ (ତ୍ଶ୍ୱାନେ)
ଅକ୍ଟୋବର ୧୭: ଭାରତ ବନାମ କ୍ୱାଲିଫାୟର୍ (ବ୍ଲୁମଫୋଣ୍ଟେନ୍)
ଅକ୍ଟୋବର ୨୪: ଜିମ୍ବାୱେ ବନାମ ଭାରତ (ଭିକ୍ଟୋରିଆ ଫଲ୍ସ)
ସୁପର-୭ ପର୍ଯ୍ୟାୟ (ସମ୍ଭାବ୍ୟ)
ଅକ୍ଟୋବର ୨୮: ଭାରତ ବନାମ ଅଷ୍ଟ୍ରେଲିଆ (ଭିକ୍ଟୋରିଆ ଫଲ୍ସ)
ଅକ୍ଟୋବର ୩୧: ଭାରତ ବନାମ ଦକ୍ଷିଣ ଆଫ୍ରିକା (ଜୋହାନ୍ସବର୍ଗ)
ନଭେମ୍ବର ୪: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ (ପାର୍ଲ)
ନଭେମ୍ବର ୭: ଭାରତ ବନାମ ପାକିସ୍ତାନ (କେପଟାଉନ୍)
ନଭେମ୍ବର ୧୧: ଭାରତ ବନାମ ଇଂଲଣ୍ଡ (ଗକ୍ବେରହା)
ନଭେମ୍ବର ୧୪: ଭାରତ ବନାମ ଶ୍ରୀଲଙ୍କା (ଡରବନ୍)
ପାକିସ୍ତାନ ବ୍ୟତୀତ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଥର ଖେଳିବାର ସମ୍ଭାବନା ରହିଛି।