ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ଏକ ବଡ଼ ସଫଳତା ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଚି। ଫାଇନାଲ୍ ମୁକାବିଲାରେ ଟିମ୍ ଇଣ୍ଡିଆ ମାଲେସିଆକୁ ୫-୧ ଗୋଲରେ ପରାସ୍ତ କରିଛି। ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପୁରୁଷ ହକିରେ ପଞ୍ଚମଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଛି। ଏହି ବିଜୟ ସହିତ ଭାରତୀୟ ପୁରୁଷ ହକି ଟିମ୍ ସିଧାସଳଖ ଆଗାମୀ ଅଲିମ୍ପିକ୍ସ ୨୦୨୮ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିନେଇଛି।
ମ୍ୟାଚ୍ର ପ୍ରଥମ ୧୫ ମିନିଟ୍ରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା ଏବଂ ପ୍ରଥମ କ୍ୱାର୍ଟର ୧-୧ ଗୋଲରେ ବରବାରରେ ଶେଷ ହୋଇଥିଲା। କିନ୍ତୁ ଏହାପରେ ମାଲେସିଆ ଦଳ ଭାରତୀୟ ଆକ୍ରମଣ ଆଗରେ ଆଉ ତିଷ୍ଠି ପାରି ନଥିଲା। ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଖେଳାଳିମାନେ ଲଗାତାର ଦୁଇଟି ଗୋଲ୍ କରି ମ୍ୟାଚ୍କୁ ସମ୍ପୂର୍ଣ୍ଣ ନିଜ କବ୍ଜାକୁ ନେଇଥିଲେ।
ଭାରତ ପକ୍ଷରୁ ଶିଳାନନ୍ଦ ଲାକ୍ରା ଏକମାତ୍ର ଫିଲ୍ଡ ଗୋଲ୍ ଦେଇଥିବା ବେଳେ ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରୁ ୨ଟି ଏବଂ ଯୁଗରାଜ ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଟିଏ ଗୋଲ୍ ସ୍କୋର କରିଥିଲେ। ଏହାଛଡ଼ା ହାର୍ଦ୍ଦିକ ସିଂହ ଏକ ପେନାଲ୍ଟି ଷ୍ଟ୍ରୋକ୍ ମାଧ୍ୟମରେ ଗୋଲ୍ କରିଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୨-୧ରେ ଆଗୁଆ ଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଆଉ ୩ଟି ଗୋଲ୍ ଦେଇଥିଲା।
ଏସୀୟ କ୍ରୀଡ଼ା ହକି ଇତିହାସରେ ଏହା ପ୍ରଥମ ଘଟଣା, ଯେଉଁଠାରେ ଭାରତୀୟ ଦଳ କ୍ରମାଗତ ଦ୍ୱିତୀୟଥର ପାଇଁ ନିଜର ସ୍ୱର୍ଣ୍ଣ ପଦକ ବଜାୟ ରଖିବାରେ ସଫଳ ହୋଇଛି। ଭାରତ ବ୍ୟତୀତ ପୂର୍ବରୁ କେବଳ ପାକିସ୍ତାନ ଏବଂ ଦକ୍ଷିଣ କୋରିଆ ଏହି ସଫଳତା ହାସଲ କରିପାରିଥିଲେ।
ଅଲିମ୍ପିକ୍ସ ୨୦୨୮ ପାଇଁ ଯୋଗ୍ୟତା
ଏହି ବିଜୟ ସହିତ ଭାରତୀୟ ପୁରୁଷ ହକି ଟିମ୍ ସିଧାସଳଖ ଆଗାମୀ ଅଲିମ୍ପିକ୍ସ ୨୦୨୮ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିନେଇଛି। ଟୁର୍ଣ୍ଣାମେଣ୍ଟରେ ମାଲେସିଆ ରୌପ୍ୟ ପଦକ ପାଇଥିବା ବେଳେ ପାକିସ୍ତାନ ଦକ୍ଷିଣ କୋରିଆକୁ ୫-୩ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି। ଏସୀୟ କ୍ରୀଡ଼ା ହକିରେ ପାକିସ୍ତାନ ସବୁଠାରୁ ସଫଳ ଦଳ ରହିଛି, ଯିଏ ୮ ଥର ସ୍ୱର୍ଣ୍ଣ ଜିତିଥିବା ବେଳେ ଭାରତ ଏବଂ ଦକ୍ଷିଣ କୋରିଆ ୫-୫ ଥର ଚାମ୍ପିୟନ ହୋଇଛନ୍ତି।
ହକିରେ ସ୍ଵର୍ଣ୍ଣ ପଦକ ମିଳିବା ପରେ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ମୋଟ ସ୍ୱର୍ଣ୍ଣ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ଏବଂ ମୋଟ୍ ପଦକ ସଂଖ୍ୟା ୮୫ରେ ପହଞ୍ଚିଛି। ଏହି ବିଜୟ ସହ ଭାରତ ମେଡାଲ୍ ଟେବୁଲ୍ରେ ଉଜବେକିସ୍ତାନକୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।