ଭୁବନେଶ୍ୱର : ନୟାପଲ୍ଲୀ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡା ଓରଫ ସନ୍ତୋଷକୁ ଆଜି ଜେଲ୍ ପଠାଯାଇଛି। ଶନିବାର ଏନ୍କାଉଣ୍ଟରରେ ଆହତ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହେବା କ୍ଷଣି କମିଶନରେଟ୍ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାପରେ ତାକୁ ଜେଲ୍ ପଠାଇ ଦିଆଯାଇଛି।
ପୋଲିସ୍ ସୂଚନା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତର ନାମ ଶ୍ରୀଧର ପଣ୍ଡା (୨୪), ସେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳର ବୋଲି ଜଣାପଡ଼ିଛି।ଗତକାଲି ଶନିବାର (୩ ଅକ୍ଟୋବର )ଚନ୍ଦକା ଜଙ୍ଗଲ ନିକଟରେ ପୋଲିସ ତାକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ ଖସିଯିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୋଲିସ ଗୁଳି ଚଳାଇବାରୁ ତାଙ୍କ ଗୋଡ଼ରେ ଗୁଳି ବାଜିଥିଲା ଏବଂ ସେ ଆହତ ହୋଇଥିଲା। ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ଅଭିଯୁକ୍ତ ଶ୍ରୀଧର କେବଳ ଦୁଷ୍କର୍ମ ନୁହେଁ, ବରଂ ଏକ ବଡ଼ ବାଇକ୍ ଚୋରି ଏବଂ ବିକ୍ରି ର୍ୟାକେଟ୍ ସହିତ ଜଡ଼ିତ ଥିଲା। ଏହି ମାମଲାରେ ପୋଲିସ ତାର ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ଚୋରି କରିବାକୁ ଯାଇ ବନ୍ଧୁକ ମୁନରେ ଜଣେ ଯୁବତୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଭୁବନେଶ୍ୱରର ପ୍ରାୟ ୩୦୦ ରୁ ଅଧିକ ସିସିଟିଭି କ୍ୟାମେରା ଫୁଟେଜ୍ ଏବଂ ଯାନ୍ତ୍ରିକ ତଥ୍ୟ ଯାଞ୍ଚ କରି କମିଶନରେଟ୍ ପୋଲିସ ୨ଦିନ ମଧ୍ୟରେ ଅଭିଯୁକ୍ତକୁ ଚିହ୍ନଟ କରି କାବୁ କରିବାରେ ସଫଳ ହୋଇଥିଲା।
ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତ ଶ୍ରୀଧର ଜେଲ୍ ହାଜତରେ ଅଛି।