ଭୁବନେଶ୍ୱର : ଖାଲିଥିବା ସମସ୍ତ ଅଧ୍ଯାପକ ପଦ ପୂରଣ କରାଯିବା ନେଇ ନିର୍ଦ୍ଦେଶ ଦେଲେ ଓଡ଼ିଶାର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ଡ. ହରିବାବୁ କମ୍ଭମପତି। ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲିପଡ଼ିଥିବା ଅଧ୍ୟାପକ ପଦବୀଗୁଡ଼ିକୁ ଆସନ୍ତା ନଭେମ୍ବର ମାସ ଶେଷ ସୁଦ୍ଧା ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ଲୋକସେବା ଭବନଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟପାଳ ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଏହି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆବେଦନ ତଥା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ସେହି ମାସ (ନଭେମ୍ବର) ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ଶେଷ କରିବାକୁ କୁହାଯାଇଛି।
ଅଧ୍ୟାପକ ଚୟନ ସମୟରେ ମେଧା ଏବଂ ଗୁଣବତ୍ତା ସହିତ କୌଣସି ପ୍ରକାରର ଆପୋଷ ବୁଝାମଣା କରାଯିବ ନାହିଁ ବୋଲି ରାଜ୍ୟପାଳ ସ୍ପଷ୍ଟ କରିଛନ୍ତି। କୁଳପତିମାନଙ୍କ ନିଯୁକ୍ତି ପରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ କରିବା ରାଜ୍ୟ ସରକାର ଓ ଉଚ୍ଚଶିକ୍ଷା ବିଭାଗ ପାଇଁ ପରବର୍ତ୍ତୀ ବଡ଼ ଆହ୍ୱାନ ବୋଲି ବୈଠକରେ ଆଲୋଚନା ହୋଇଛି ।
ଏହି ପ୍ରସଙ୍ଗରେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ଯ କହିଛନ୍ତି ଯେ ୧୪୩୫ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ପୋଷ୍ଟ ପୂରଣ ହେବ । ଆଶାୟୀଙ୍କ ବେସିକ୍ ସ୍କ୍ରୁଟିନି ସରିଲାଣି, ଖୁବଶୀଘ୍ର ପଦବୀ ପୂରଣ ହେବ ।