ଭଦ୍ରକରେ ୯୧.୯୦ ଲକ୍ଷ ଟଙ୍କାର ବଡ଼ ଧରଣର ନିବେଶ ଠକେଇ ମାମଲାରେ ସାଇବର ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ନିବେଶକମାନଙ୍କୁ କମ୍ ସମୟରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଏହି ବୃହତ ପରିମାଣର ଅର୍ଥ ଠକେଇ କରାଯାଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଏବଂ ଠକେଇରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।
ସୂଚନା ଅନୁଯାୟୀ ଫେସବୁକ୍ ଓ ହ୍ୱାଟ୍ସଆପ୍ରେ ନିବେଶର ୨ଗୁଣ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ଠକେଇ କରୁଥିଲେ। 'Insights Exchange’ ନାମକ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଅଭିଯୋଗକାରୀଙ୍କୁ ଠକୁଥିଲେ। ଅଭିଯୁକ୍ତମାନେ ଭୁଆ ନାମରେ ବ୍ୟାଙ୍କ ଖାତା ଖୋଲି ଠକେଇ କରୁଥିଲେ। SMS Forwarder APK ମାଧ୍ୟମରେ ଇଣ୍ଟରନେଟ୍ ବ୍ୟାଙ୍କିଂର ଆକ୍ସେସ୍ ଦିଆଯାଉଥିଲା। Binance ଭଳି କ୍ରିପ୍ଟୋ ଏକ୍ସଚେଞ୍ଜ୍ ମାଧ୍ୟମରେ USDTରେ କମିଶନ ନେଉଥିଲେ।ସଂଗଠିତ ଭାବେ ପ୍ରାୟ ୯୧.୯୦ ଲକ୍ଷ ଟଙ୍କା ଠକେଇ କରାଯାଇଛି।
ଭଦ୍ରକ ଓ ଏହାର ଆଖପାଖ ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଅଭିଯୁକ୍ତମାନଙ୍କ ନିକଟରୁ ପ୍ରାୟ ୧୨ ଲକ୍ଷରୁ ଅଧିକ ନଗଦ ଟଙ୍କା, ମୋବାଇଲ୍ ଫୋନ୍ ଏବଂ ଅନେକ ବ୍ୟାଙ୍କ୍ ପାସବୁକ୍/ଏଟିଏମ୍ କାର୍ଡ ଜବତ ହୋଇଛି। ଅନଲାଇନ୍ ଆପ୍ କିମ୍ବା ସୋସିଆଲ୍ ମିଡିଆ ମାଧ୍ୟମରେ "ଅଧିକ ରିଟର୍ଣ୍ଣ"ର ପ୍ରଲୋଭନ ଦେଖାଇ ଲୋକଙ୍କୁ ଜାଲରେ ଫସାଯାଉଥିଲା।