ଭୁବନେଶ୍ୱର: ଭୁବନେଶ୍ୱରଠାରେ ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଓଡ଼ିଶା କେବଳ ଗୋଟିଏ ଗନ୍ତବ୍ୟସ୍ଥଳ ନୁହେଁ, ଓଡ଼ିଶା ନିଜେ ଏକ ବିଶ୍ୱ ଅନୁଭୂତି।
ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ପ୍ରଦାନ କରିବା ଏବଂ ବ୍ୟାପକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାର ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ନେଇ ଆଜି ରାଜଧାନୀ ଭୁବନେଶ୍ୱରଠାରେ ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବୃହତ ପର୍ଯ୍ୟଟନ ମହାକୁମ୍ଭକୁ ଉଦଘାଟନ କରିଛନ୍ତି। ଦେଶବିଦେଶରୁ ଆସିଥିବା ନିବେଶକ, ହସ୍ପିଟାଲିଟି ବ୍ରାଣ୍ଡ ଏବଂ ଟୁରିଜିମ୍ ପାର୍ଟନରମାନେ ଓଡ଼ିଶାର ଅସୀମ ସମ୍ଭାବନାକୁ ଉପଯୋଗ କରି ପୁଞ୍ଜିନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆମର ବୌଦ୍ଧ ଐତିହ୍ୟ, ହସ୍ତତନ୍ତ, ଐତିହ୍ୟସ୍ଥଳୀ, ବିଶାଳ ଚିଲିକା ଏବଂ ଇକୋ-ଟୁରିଜିମ୍ ଏହାର ପ୍ରମାଣ। ଆମ ସଂସ୍କୃତି ପର୍ଯ୍ୟଟନ ପାଇଁ ସୃଷ୍ଟି କରାଯାଇନାହିଁ, ଏହା ନିଜ ମୌଳିକ ରୂପରେ ଜୀବନ୍ତ ଅଛି। ଆମ ସରକାର ସ୍ଥାୟୀ ପର୍ଯ୍ୟଟନ ପାଇଁ ଏକ ସୁଦୃଢ଼ ଏବଂ ଉତ୍ତମ ପରିବେଶ ସୃଷ୍ଟି କରୁଛନ୍ତି, ଯାହା ଦ୍ୱାରା ନିଯୁକ୍ତି ସୃଷ୍ଟି ଓ ଦକ୍ଷତା ବିକାଶ ହେବ। ପର୍ଯ୍ୟଟନ ଅର୍ଥନୀତିରେ ଏକ ସଶକ୍ତ ଯୋଗଦାନକାରୀ ହେବା ଉଚିତ୍। ଆମ ପର୍ଯ୍ୟଟନରେ ସାହସିକ ପର୍ଯ୍ୟଟନ ମଧ୍ୟ ଅନ୍ତର୍ଭୁକ୍ତ ଏବଂ ଆମେ ତାହାକୁ ଅଧିକ ସୁଦୃଢ଼ କରୁଛୁ ।