ଭୁବନେଶ୍ୱର: ଦୀର୍ଘ ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ମହିଳା ହକି ଦଳ ପାଇଁ ଓଡ଼ିଶାର ମୋହନ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ପ୍ରତି ମହିଳା ହକି ଖେଳାଳିଙ୍କ ପାଇଁ ୧୧ ଲକ୍ଷ ଟଙ୍କା ଏବଂ ପ୍ରଶିକ୍ଷକ ଓ ସହ କର୍ମଚାରୀଙ୍କ ପାଇଁ ୫.୫ ଟଙ୍କା ପୁରସ୍କାର ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଦଳକୁ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ, ଦୃଢ଼ ନିଷ୍ପତ୍ତି ଏବଂ ପ୍ରତିବଦ୍ଧତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସରକାର ଭାରତୀୟ ହକି ସହିତ ଦୃଢ଼ ଭାବରେ ଠିଆ ହୋଇଛି ଏବଂ କ୍ରୀଡ଼ା ଉତ୍କର୍ଷତାକୁ ସମର୍ଥନ ଏବଂ ପୋଷଣ କରିବା ପାଇଁ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଗତକାଲି ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଫାଇନାଲ ମୁକାବିଲାରେ ଚୀନକୁ ଭେଟିଥିଲା । ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ଟିମ୍ ଇଣ୍ଡିଆ ଶକ୍ତିଶାଳୀ ଚୀନ୍କୁ ୧-୦ ଗୋଲ୍ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲା । ତତସହିତ ଭାରତୀୟ ମହିଳା ହକି ଟିମ୍ ୨୦୨୮ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛି । ୧୯୮୨ ମସିହା ପରେ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଛି।