ୱାଶିଂଟନ: ଆମେରିକାର ଓହାୟୋରେ ଥିବା ଏକ ସ୍ୱାମୀ ନାରାୟଣ ମନ୍ଦିର ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି । ରିକମଣ୍ଡ୍ ହାଇଟ୍ସରେ ଥିବା ସ୍ୱାମୀ ନାରାୟଣ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା କରାଯାଇଥିବା ହିନ୍ଦୁ ଆମେରିକା ଫାଉଣ୍ଡେସନ୍ ସ୍ପଷ୍ଟ କରିଛି । ଯାହା ଦ୍ୱାରା ମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ଆମେରିକୀୟ ସ୍ଥାନୀୟ ସମୟ ଅନୁସାରେ ଦିନ ଦ୍ୱିପ୍ରହର ସାଢ଼େ ଗୋଟାଏ ସମୟରେ ଏହି ଭଙ୍ଗାରୁଜା ହୋଇଛି । ଆକ୍ରମଣକାରୀମାନେ ମନ୍ଦିର ଉପରକୁ ଇଟା ଫିଙ୍ଗିଥିଲେ, ଯାହା ଫଳରେ ଝରକା କାଚଗୁଡ଼ିକ ଭାଙ୍ଗିଯାଇଥିଲା। ସୌଭାଗ୍ୟବଶତଃ, ଏହି ଆକ୍ରମଣରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ କିମ୍ବା ଗୁରୁତର ଆହତ ହେବାର ତୁରନ୍ତ ଖବର ମିଳିନାହିଁ ।ଏ ନେଇ ହିନ୍ଦୁ ସଙ୍ଗଠନ ପକ୍ଷରୁ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ ପରିସରଭୁକ୍ତ କରିଛି । ଏହା ଏକ ଜଘନ୍ୟ ଅପରାଧ ଏବଂ ତୁରନ୍ତ ଅପରାଧୀଙ୍କୁ ଗିରଫ କରିବାକୁ ଦାବି ହୋଇଛି ।
ଏଭିଳ ଘଟଣା ଏପରି ଏକ ସମୟରେ ହୋଇଛି, ଯେତେବେଳେ ଆମେରିକାରେ ହିନ୍ଦୁମାନଙ୍କ ବିରୋଧରେ ଘୃଣା ଭାବେ ବଢ଼ିବାରେ ଲାଗିଛି । ତେଣୁ ନିର୍ବାଚିତ ଜନ ପ୍ରତିନିଧିମାନେ ଆଗକୁ ଆସି ଏଭଳି ଘଟଣା ବିରୋଧରେ ସ୍ୱର ଉଠାବାକୁ ହିନ୍ଦୁ ସଙ୍ଗଠନ ଦାବି କରିଛି ।