ଫ୍ଲାଏ ଦୁବାଇର (Flydubai) ବିମାନ ନମ୍ବର ୧୦୭୩ କୁ କ୍ରାଶ୍ କରାଇବାକୁ ଚେଷ୍ଟା କରିଥିବା ଓମାନୀ ପାଇଲଟ୍କୁ ନେଇ ବଡ଼ ପର୍ଦ୍ଦାଫାଶ ହୋଇଛି। କକ୍ପିଟ୍ରେ ପାଇଲଟ୍କୁ ଆୟତ୍ତ କରିଥିବା ଜର୍ଜିଆର ଡେଣ୍ଟିଷ୍ଟଙ୍କ ଅନୁଯାୟୀ, ଶେଷ ମୁହୂର୍ତ୍ତରେ ସହ-ପାଇଲଟ୍ ନିଜକୁ ଜୀବନରୁ ମାରିଦେବାକୁ ଗୁହାରି କରିଥିଲା। ପାଇଲଟ୍ର କହିବା କଥା ଥିଲା ଯେ, "ଆପଣମାନେ ମୋତେ ଜୀବନ୍ତ ଛାଡ଼ନ୍ତୁ ନାହିଁ।" ହେଲେ, ବିମାନର ସୁରକ୍ଷିତ ଲ୍ୟାଣ୍ଡିଂ ପରେ ତାକୁ ସାଉଦି ପୁଲିସ ଅଧିକାରୀଙ୍କ ହସ୍ତାନ୍ତର କରାଯାଇଥିଲା।
ବ୍ରିଟିଶ୍ ଖବରକାଗଜ 'ଡେଲି ମେଲ୍' (Daily Mail) ସହ କଥା ହୋଇ ବିମାନରେ ସବାର ଡେଣ୍ଟିଷ୍ଟ ଶୋତା ମୁସାୟେଭ୍ କହିଛନ୍ତି- ସ୍ମିତ୍ ମଚ୍ଛାର ଯେତେବେଳେ କକ୍ପିଟ୍ ଖୋଲିଲେ, ସେତେବେଳେ କିଛି ଲୋକ ଭିତରକୁ ପଶିଗଲେ। ଲୋକମାନେ ଓମାନୀ ମୂଳର ପାଇଲଟ୍କୁ ଆୟତ୍ତ କରିନେଲେ। ତାକୁ ବାନ୍ଧି ତଳେ ପକାଇଦେଲେ। ସେହି ସମୟରେ ତା' ମୁହଁରୁ ରକ୍ତ ବୋହୁଥିଲା।
ମୁସାୟେଭ୍ଙ୍କ କହିବା କଥା ହେଉଛି, ନିଜକୁ ଅସହାୟ ଅବସ୍ଥାରେ ଦେଖି ସେ ଜୀବନରୁ ମାରିଦେବାକୁ ଗୁହାରି କରିଥିଲା। ତା'ର କହିବା ଥିଲା ଯେ ଏହା ହିଁ ସବୁଠାରୁ ସଠିକ୍ ହେବ। ହେଲେ, ତା'ର ଗୁହାରି ଆଡ଼କୁ କେହି ଧ୍ୟାନ ଦେଇନଥିଲେ।
ସାଉଦି ପଚରାଉଚରା ପରେ ୟୁଏଇକୁ ହସ୍ତାନ୍ତର କଲା
ଏପଟେ ସାଉଦି ଆରବ ପଚରାଉଚରା ପରେ ଓମାନୀ ସହ-ପାଇଲଟ୍କୁ ୟୁଏଇ (UAE) କୁ ହସ୍ତାନ୍ତର କରିଦେଇଛି। 'ଅଲ୍ ଜଜିରା' (Al Jazeera) ଅନୁଯାୟୀ, ସାଉଦି ତଦନ୍ତକାରୀ ଅଧିକାରୀମାନେ ଯେଉଁ ପ୍ରାରମ୍ଭିକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ସେଥିରେ କୁହାଯାଇଛି ଯେ ଓମାନୀ ମୂଳର ସହ-ପାଇଲଟ୍ ନିଜ ମୁଖ୍ୟ ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କ ଗାଳିଗୁଲଜ ଓ ଆକ୍ରମଣ ଯୋଗୁଁ ଅସନ୍ତୁଷ୍ଟ ଥିଲା।
ହେଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏହି ଥିଓରୀକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନେତନ୍ୟାହୁଙ୍କ କହିବା କଥା ହେଉଛି, ଓମାନୀ ମୂଳର ପାଇଲଟ୍ ଜଣକ ଇସଲାମୀ କଟ୍ଟରପନ୍ଥୀ ଥିଲା। ଆମେ ଖୁବ୍ ଶୀଘ୍ର ତଦନ୍ତର ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚିଯିବୁ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କହିବା କଥା ହେଉଛି, ଓମାନୀ ମୂଳର ସହ-ପାଇଲଟ୍ ଇରାନ୍ ଦ୍ୱାରା ପ୍ରଭାବିତ ଥିଲା। 'ଟାଇମ୍ସ ଅଫ୍ ଇସ୍ରାଏଲ୍' ଅନୁଯାୟୀ, ୮ ମାସ ପୂର୍ବରୁ ସେ ଫ୍ଲାଏ ଦୁବାଇ ଜଏନ୍ କରିଥିଲା। ସେହି ସମୟରେ ହିଁ ଇରାନ୍ ଉପରେ ଆମେରିକା ଆକ୍ରମଣ କରିଥିଲା।
ପାଇଲଟ୍ ଧାର୍ମିକ ମୌଳବାଦୀ ଥିବା ଦାବି
ରିପୋର୍ଟ ଅନୁଯାୟୀ, ଓମାନୀ ମୂଳର ପାଇଲଟ୍ ଇସଲାମ୍ ଧର୍ମ ସହ ଜଡ଼ିତ। ତା'ର ଜଣେ ସହଯୋଗୀ ଇସ୍ରାଏଲୀ ମିଡିଆକୁ ଜଣାଇଛି ଯେ, କାମ ସମୟରେ ସେ ବହୁତ କମ୍ କଥାବାର୍ତ୍ତା କରୁଥିଲା। ଓମାନୀ ମୂଳର ପାଇଲଟ୍ ମହିଳାମାନଙ୍କ ସହ ହାତ ସୁଦ୍ଧା ମିଳାଉ ନଥିଲା, ଯାହା ଏହି ପେଷାରେ ଏକ ସାଧାରଣ ପ୍ରଚଳନ। ରିପୋର୍ଟରେ ଦାବି କରାଯାଇଛି ଯେ, ଟିମ୍ରେ ଅନ୍ୟ ଲୋକଙ୍କ ତୁଳନାରେ ସେ ଧାର୍ମିକ ଭାବେ ବେଶ୍ ମୌଳବାଦୀ ଥିଲା।