ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଏନ୍କାଉଣ୍ଟର କରିଛି। ଏହି ଏନ୍କାଉଣ୍ଟରରେ ଅଭିଯୁକ୍ତ ଯୁବକର ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାଯୀ ଗିରଫ ଭୟରେ ଅଭିଯୁକ୍ତ ଜଣକ ଖସି ପଳାଇବାକୁ ଚେଷ୍ଟା କରିବା ସହ ପୋଲିସ ଉପରକୁ ଫାୟାରିଂ କରିଥିଲା। ପୋଲିସ ନିଜର ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇବା ଫଳରେ ଅଭିଯୁକ୍ତ ଆହତ ହୋଇଛି।
ଗତ ବୁଧବାର ଅର୍ଥାତ୍ ୩୦ ସେପ୍ଟେମ୍ବର ରାତିରେ ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣେ ୨୬ ବର୍ଷୀୟା ଯୁବତୀ ଘରେ ଏକୁଟିଆ ଥିବା ସମୟରେ ମୁହଁରେ ମାସ୍କ ପିନ୍ଧିଥିବା ଜଣେ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ତାଙ୍କୁ ଜବରଦସ୍ତି ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ସମ୍ବେଦନଶୀଳ ମାମଲାକୁ ନେଇ ଓଡ଼ିଶା ରାଜ୍ୟ ମହିଳା କମିଶନ (SCW) ମଧ୍ୟ ନିଜ ଆଡୁ ମାମଲା ରୁଜୁ କରି ଭୁବନେଶ୍ୱର ଡିସିପିଙ୍କ ଠାରୁ ରିପୋର୍ଟ ତଲବ କରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଥିଲା ଓ ଶେଷରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।