ଭୁବନେଶ୍ୱର: ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ପ୍ରଦାନ କରିବା ଏବଂ ବ୍ୟାପକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାର ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ନେଇ ଆଜି ରାଜଧାନୀ ଭୁବନେଶ୍ୱରଠାରେ ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବୃହତ ପର୍ଯ୍ୟଟନ ମହାକୁମ୍ଭକୁ ଉଦଘାଟନ କରିଛନ୍ତି। ଦେଶବିଦେଶରୁ ଆସିଥିବା ନିବେଶକ, ହସ୍ପିଟାଲିଟି ବ୍ରାଣ୍ଡ ଏବଂ ଟୁରିଜିମ୍ ପାର୍ଟନରମାନେ ଓଡ଼ିଶାର ଅସୀମ ସମ୍ଭାବନାକୁ ଉପଯୋଗ କରି ପୁଞ୍ଜିନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପର୍ଯ୍ୟଟକଙ୍କ ପାଇଁ ଏକ ଆଦର୍ଶ ଓ ସ୍ୱର୍ଗ ଭାବେ ଗଢ଼ିତୋଳିବାକୁ ସମସ୍ତଙ୍କୁ ଆହ୍ଵାନ ଜଣାଇଛନ୍ତି । ଅତିଥିମାନଙ୍କ ସୁରକ୍ଷା ଓ ଅତିଥି ସତ୍କାରକୁ ସର୍ବାଧିକ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ଓ ଯୁଗାନ୍ତକାରୀ ଘୋଷଣା କରିଛନ୍ତି। ରାଜ୍ୟର ୨୯ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ‘ଟୁରିଷ୍ଟ ପୋଲିସ’ ବ୍ୟବସ୍ଥା ଆରମ୍ଭ କରାଯାଉଥିବାବେଳେ ସମୁଦ୍ରକୂଳ ଓ ଜଳକ୍ରୀଡ଼ା ସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ‘ଓସ୍ୱାଲି’ (OSWALI) ମାଧ୍ୟମରେ ଏକ ହଜାର ପ୍ରଶିକ୍ଷିତ ଜୀବନରକ୍ଷକ ବା ଲାଇଫ୍ ଗାର୍ଡ ନିଯୁକ୍ତ କରାଯିବ। ଅଧିକ ଭିଡ଼ ପରିଲକ୍ଷିତ ହେଉଥିବା ସ୍ଥଳୀଗୁଡ଼ିକରେ ‘ଡେଷ୍ଟିନେସନ୍ ମ୍ୟାନେଜର୍’ ମଧ୍ୟ ନିଯୁକ୍ତ ହେବେ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତିର ମୂଳମନ୍ତ୍ର ‘ଅତିଥି ଦେବୋ ଭବଃ’ । ତେଣୁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାକୁ ପଡ଼ିବ, ଯାହାଦ୍ୱାରା ସେମାନେ ହିଁ ଓଡ଼ିଶାର ପ୍ରକୃତ ବ୍ରାଣ୍ଡ ଆମ୍ବାସାଡର ହୋଇପାରିବେ । ଆଜିର ସୋସିଆଲ ମିଡିଆ ଯୁଗରେ ଗୋଟିଏ ବି ଅପ୍ରୀତିକର ପରିସ୍ଥିତି ବିଜୁଳି ବେଗରେ ଖେଳିଯାଉଥିବାରୁ ସମସ୍ତଙ୍କୁ ମିଳିମିଶି ଓଡ଼ିଶାର ସୁଖଦ ଅନୁଭୂତି ବିସ୍ତାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଉପରେ ଆଲୋକପାତ କରିଛନ୍ତି ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ପୋର୍ଟାଲ ଏବଂ ଏକ ସ୍ୱତନ୍ତ୍ର କଫି ଟେବୁଲ୍ ବୁକ୍ ‘ପିଠା, ମିଠା ପଣା’ କୁ ଲୋକାର୍ପିତ କରିଛନ୍ତି। ଏହାସହ ରାଜ୍ୟ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ନୂତନ ‘ଓଡ଼ିଶା ଟୁରିଜିମ୍ ପୋର୍ଟାଲ୍’ ଏବଂ ନିବେଶକଙ୍କ ସୁବିଧା ପାଇଁ ‘ଓଡ଼ିଶା ଟୁରିଜିମ୍ ଇନ୍ଭେଷ୍ଟମେଣ୍ଟ ଇନ୍ସେଣ୍ଟିଭ୍ ମ୍ୟାନେଜମେଣ୍ଟ ସିଷ୍ଟମ’ର ୱେବ୍ ଆପ୍ଲିକେଶନ୍ ମଧ୍ୟ ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଗାମୀ ‘ପୁରୀ କୋଷ୍ଟାଲ ମାରାଥନ୍’ (Puri Coastal Marathon)ର ଜର୍ସିକୁ ମଧ୍ୟ ଉନ୍ମୋଚନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୂର୍ବତନ ଭାରତୀୟ କ୍ରିକେଟର୍ କପିଲ ଦେବ, ପୂର୍ବତନ ହକି ଅଧିନାୟକ ଦିଲ୍ଲୀପ ତିର୍କୀ, ସେଲିବ୍ରିଟି ଓଡ଼ିଆ କୁଇଜିନ୍ ବ୍ରାଣ୍ଡ ଆମ୍ବାସାଡର ରଣବୀର ବ୍ରାର, ମୁଖ୍ୟ ସଚିବ ଅନୁ ଗର୍ଗ, ପର୍ଯ୍ୟଟନ ବିଭାଗ କମିଶନର-ତଥା-ସଚିବ ବଳୱନ୍ତ ସିଂହ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, FICCI ଜାତୀୟ ପର୍ଯ୍ୟଟନ କମିଟିର କୋ-ଚେୟାରମ୍ୟାନ୍ ଡା. ଜେ.କେ. ମହାନ୍ତି, , ଏବଂ ଏସୀୟ କ୍ରୀଡ଼ା ପୋଲ୍-ଭଲ୍ଟ ଜାତୀୟ ରେକର୍ଡଧାରୀ ବରଣିକା ଏଲାଙ୍ଗୋଭାନ୍, ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ରାଜ୍ୟର ପର୍ଯ୍ୟଟନ ଭବିଷ୍ୟତ ସମ୍ପର୍କରେ ମତ ରଖିଥିଲେ।