କେଲିକୁଞ୍ଜ ଆଶ୍ରମକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ଏବେ କଥାବାଚକ ଦେବୀ ଇନ୍ଦୁଲେଖା ନିଜ ସହ ମାରପିଟ୍ ଏବଂ ଲରେନ୍ସ ବିଷ୍ଣୋଇ ନାମରେ ଧମକ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି।
ଉତ୍ତର ପ୍ରଦେଶର ମଥୁରାସ୍ଥିତ ବୃନ୍ଦାବନର କେଲିକୁଞ୍ଜ ଆଶ୍ରମକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ଏବେ କଥାବାଚକ ଦେବୀ ଇନ୍ଦୁଲେଖା ନିଜ ସହ ମାରପିଟ୍ ଏବଂ ଲରେନ୍ସ ବିଷ୍ଣୋଇ ନାମରେ ଧମକ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି। ସେ ଆଶ୍ରମର ସେବାଦାର ଏବଂ କିଛି ଅଜ୍ଞାତ ଲୋକଙ୍କଠାରୁ ନିଜ ଜୀବନପ୍ରତି ବିପଦ ଥିବା ପ୍ରକାଶ କରିଛନ୍ତି। ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଗତଦିନରେ ହାଥରସ ବାସିନ୍ଦା ଅନୁଜ ଚୌଧୁରୀଙ୍କ ପରିବାର ଲୋକେ କେଲି କୁଞ୍ଜ ଆଶ୍ରମ ବାହାରେ ଧାରଣା ଦେଇଥିଲେ। ଏହାପରେ ଗତକାଲି ରାତିରେ ଅନୁଜ ଚୌଧୁରୀଙ୍କୁ ପୁଲିସ ସୁରକ୍ଷିତ ଭାବେ ଉଦ୍ଧାର କରି ହାଥରସ ପୁଲିସ ଜିମା ଦେଇଛି। ଅନ୍ୟପଟେ ଏହି ମାମଲାରେ କେଲି କୁଞ୍ଜ ଆଶ୍ରମ ପକ୍ଷରୁ କୌଣସି ବକ୍ତବ୍ୟ ସାମ୍ନାକୁ ଆସିନାହିଁ।
କ’ଣ ସମ୍ପୂର୍ଣ୍ଣ ମାମଲା?
ଗତଦିନରେ ପ୍ରେମାନନ୍ଦ ମହାରାଜଙ୍କ ଜଣେ ଶିଷ୍ୟଙ୍କ ମୃତ୍ୟୁ ଘଟଣା ପରେ ଏବେ ଅନେକ ପରିବାର ନିଜ ପିଲାମାନଙ୍କୁ ଖୋଜିବା ପାଇଁ କେଲି କୁଞ୍ଜ ଆଶ୍ରମରେ ପହଞ୍ଚୁଛନ୍ତି। ଗତକାଲି ଏହିପରି ପୀଡ଼ିତ ପରିବାରବର୍ଗଙ୍କୁ ଭେଟିବା ପାଇଁ ଦେବୀ ଇନ୍ଦୁଲେଖା ପହଞ୍ଚିଥିଲେ। ଯେଉଁଠାରେ ଦେବୀ ଇନ୍ଦୁଲେଖାଙ୍କ ସହ କଥିତ ଭାବେ ଟଣାଓଟରା କରାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।
ଦେବୀ ଇନ୍ଦୁଲେଖାଙ୍କୁ ଘଉଡ଼ାଇବାର ଅଭିଯୋଗ
ଦେବୀ ଇନ୍ଦୁଲେଖାଙ୍କ ଅନୁଯାୟୀ, ସେଠାରେ ଉପସ୍ଥିତ କିଛି ଲୋକ ତାଙ୍କ ହାତ ଧରି ଟାଣିଥିଲେ ଏବଂ ଘଟଣାସ୍ଥଳରୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କେବଳ ସେତିକି ନୁହେଁ, ଘଟଣାସ୍ଥଳରେ କଭରେଜ୍ କରୁଥିବା କିଛି ସାମ୍ବାଦିକଙ୍କ ସହ ମଧ୍ୟ ଆଶ୍ରମର ସେବାଦାରମାନେ ଅଭଦ୍ରାଚରଣ କରିଥିବା କଥା ସାମ୍ନାକୁ ଆସିଛି। ଏହାଦ୍ୱାରା ଆଶ୍ରମ ପରିସରରେ ଚାଲିଥିବା କାର୍ଯ୍ୟକଳାପ ଏବଂ ସେଠାକାର ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ବ୍ରଜବାସୀଙ୍କ ମଧ୍ୟରେ ଏବେ ଏହି ଚର୍ଚ୍ଚା ଜୋର୍ ଧରିଛି ଯେ କେଲି କୁଞ୍ଜ ଆଶ୍ରମରେ ଚାଲିଛି କ’ଣ? ଯାହାକୁ ଲୁଚାଇବା ପାଇଁ ଆଶ୍ରମର ସେବାଦାରମାନେ ସେଠାରେ ନିଜ ପିଲାଙ୍କୁ ଖୋଜିବାକୁ ଆସୁଥିବା ପୀଡ଼ିତ ପରିବାର ଏବଂ ମିଡିଆ କର୍ମୀଙ୍କ ସହ ଏଭଳି ଠେଲାପେଲା ଓ ଅବ୍ୟବସ୍ଥା କରିବାକୁ ପଛାଉନାହାନ୍ତି।