ନୂଆଦିଲ୍ଲୀ: ଚୀନ୍ର ସହାୟତାରେ ପାକିସ୍ତାନ ପଞ୍ଚମ ପିଢିର ଅତ୍ୟାଧୁନିକ ଯୁଦ୍ଧବିମାନ ହାତକୁ ଆଣୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ପାକିସ୍ତାନୀ ପାଇଲଟମାନେ ବର୍ତ୍ତମାନ ଚୀନ୍ରେ ଏହାର ପ୍ରଶିକ୍ଷଣ ନେଉଥିବା ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ୍ ଏ.ପି. ସିଂହ ସୂଚନା ଦେଇଛନ୍ତି। ଆଗାମୀ ଅକ୍ଟୋବର ୮ ତାରିଖ ବାୟୁସେନା ଦିବସ ପୂର୍ବରୁ ଆୟୋଜିତ ଏକ ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି।
ଚୀନ୍ ଓ ପାକିସ୍ତାନର ଏଭଳି ପ୍ରତିରକ୍ଷା ସହଯୋଗ ଭାରତ ପାଇଁ ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ ବୋଲି ବାୟୁସେନା ମୁଖ୍ୟ ସ୍ୱୀକାର କରିଛନ୍ତି। ମାତ୍ର ଏହାକୁ ନେଇ ଅତ୍ୟଧିକ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। କେବଳ ଏକ ଉନ୍ନତ ଯୁଦ୍ଧବିମାନ ସାମିଲ କଲେ ଯୁଦ୍ଧର ଫଳାଫଳ ବଦଳି ଯାଏ ନାହିଁ, ବରଂ ସେହି ଯୁଦ୍ଧବିମାନକୁ ସାମଗ୍ରିକ ସାମରିକ ବ୍ୟବସ୍ଥା ସହ କିପରି ସମନ୍ୱୟ କରାଯାଉଛି ତାହା ସବୁଠୁ ବଡ଼ କଥା ବୋଲି ସେ ମତ ରଖିଛନ୍ତି।
ଭାରତୀୟ ବାୟୁସେନା ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ସକ୍ଷମ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏୟାର ଚିଫ୍ ମାର୍ଶଲ୍ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ପାକିସ୍ତାନ ପାଖରେ ଅନେକ ଅସ୍ତ୍ରଶସ୍ତ୍ର ଥାଇ ସେମାନେ କିଛି ବିଶେଷ କରିପାରି ନଥିଲେ। ଭାରତୀୟ ସେନା ପାଖରେ ଶତ୍ରୁପକ୍ଷର ଯେକୌଣସି ଆହ୍ୱାନକୁ ପ୍ରତିହତ କରିବାର ଆବଶ୍ୟକୀୟ କ୍ଷମତା ଓ ସାହସ ରହିଛି।
ତଥାପି ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତକୁ ଶୀଘ୍ର ପଞ୍ଚମ ପିଢିର ଯୁଦ୍ଧବିମାନ ସାମିଲ କରିବାକୁ ପଡ଼ିବ ବୋଲି ବାୟୁସେନା ମୁଖ୍ୟ ଗୁରୁତ୍ୱାରୋପ କରିଛନ୍ତି। ଦେଶୀୟ ଜ୍ଞାନକୌଶଳରେ ପ୍ରସ୍ତୁତ ‘AMCA’ (ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ) ପ୍ରକଳ୍ପକୁ ଦ୍ରୁତଗତିରେ ଆଗକୁ ବଢ଼ାଇବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି ଏଥିରେ କିଛି ବିଳମ୍ବ ହୁଏ, ତେବେ ଜରୁରୀକାଳୀନ ଭିତ୍ତିରେ ଅନ୍ୟାନ୍ୟ ବିକଳ୍ପ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।