ଦୁବାଇ: ଫ୍ଲାଏଦୁବାଇ ବିମାନ ଦୁର୍ଘଟଣାକୁ ଏଡ଼ାଇ ଦେଇ ସାହସିକତା ଦେଖାଇଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମାଛରଙ୍କୁ ଦୁବାଇର କ୍ରାଉନ୍ ପ୍ରିନ୍ସ ଶେଖ୍ ହମଦାନ୍ ବିନ୍ ମହମ୍ମଦ ବିନ୍ ରଶିଦ୍ ଅଲ୍ ମକ୍ତୁମ୍ ସାକ୍ଷାତ କରିଛନ୍ତି। ଶନିବାର ଦିନ ସେ ହସ୍ପିଟାଲରେ ପହଞ୍ଚି ବୀର ପାଇଲଟ୍ ସ୍ମିତ୍ ମାଛରଙ୍କୁ ଭେଟିବା ସହ କୁଣ୍ଢାଇ ପକାଇଥିଲେ ଏବଂ ତାଙ୍କ ମୁଣ୍ଡ ଆଉଁଷି ସାହସକୁ ପ୍ରଶଂସା କରିଥିଲେ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସାକ୍ଷାତର କିଛି ସୁନ୍ଦର ଫଟୋ ସେୟାର କରି କ୍ରାଉନ୍ ପ୍ରିନ୍ସ ଲେଖିଛନ୍ତି, “କ୍ୟାପଟେନ୍ ସ୍ମିତ୍ ମାଛରଙ୍କୁ ଭେଟିଲି ଯିଏ ସାହସ, ଦାୟିତ୍ୱବୋଧ ଏବଂ ମାନବିକତା ରକ୍ଷା କରିବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଆମ ଦେଶ ଏବଂ ନେତୃତ୍ୱ ପକ୍ଷରୁ ତାଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜ୍ଞାପନ କରୁଛୁ। ସେ ଆମ ଟିମ୍ ଏବଂ ଦେଶର ଗର୍ବ।”
ମିଳିଥିବା ସୂଚନା ଅନୁଯାୟୀ, ଦୁବାଇରୁ ଇସ୍ରାଏଲର ତେଲ ଅଭିଭ୍ ଯାଉଥିବା ଫ୍ଲାଏଦୁବାଇର ବିମାନ (FZ1073)ର କ୍ୟାପଟେନ୍ ଥିଲେ ଭାରତୀୟ ପାଇଲଟ୍ ସ୍ମିତ୍ ମାଛର। ତେବେ ଉଡ଼ାଣ ସମୟରେ ବିମାନର ଓମାନୀ ନାଗରିକ ତଥା କୋ-ପାଇଲଟ୍ ହମାମ ଅଲ୍ ହମାମୀ ହଠାତ୍ କକପିଟ୍ ଭିତରେ ରହିଥିବା ଏକ ଧାରୁଆ କୁରାଢ଼ୀ ଦ୍ୱାରା କ୍ୟାପଟେନ୍ ସ୍ମିତ୍ଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବିମାନଟି ନିୟନ୍ତ୍ରଣ ହରାଇ ହଜାର ହଜାର ଫୁଟ୍ ତଳକୁ ଖସିବାକୁ ଲାଗିଥିଲା।
ଗଭୀର ଭାବେ ଆହତ ହେବା ସତ୍ତ୍ବେ କ୍ୟାପଟେନ୍ ସ୍ମିତ୍ ମାଛର ଅସାଧାରଣ ଧୈର୍ଯ୍ୟ ଓ ସୂଚନା ପ୍ରଦର୍ଶନ କରି କକପିଟ୍ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ପରେ ବିମାନର ଯାତ୍ରୀମାନେ କକପିଟ୍ ମଧ୍ୟକୁ ପଶି ଆକ୍ରମଣକାରୀ କୋ-ପାଇଲଟ୍କୁ କାବୁ କରିନଥିଲେ। ତାଙ୍କର ଏହି ସତର୍କତା ଯୋଗୁଁ ବିମାନରେ ଥିବା ସମସ୍ତ ୧୭୨ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ଜୀବନ ବଞ୍ଚିପାରିଥିଲା।
ଏଭଳି ଭୟଙ୍କର ପରିସ୍ଥିତିକୁ ମୁକାବିଲା କରି ଅନେକ ଜୀବନ ରକ୍ଷା କରିଥିବାରୁ ଭାରତୀୟ ପାଇଲଟ୍ ସ୍ମିତ୍ ମାଛରଙ୍କୁ ସାରା ବିଶ୍ୱରୁ ପ୍ରଶଂସା କରାଯାଉଛି। ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ବୀର ପାଇଲଟ୍ଙ୍କ ସାହସିକତାର ଭୂୟସୀ ପ୍ରଶଂସା କରିଛନ୍ତି।