ଢାକା: ପଡ଼ୋଶୀ ଦେଶ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ଏବଂ ସେମାନଙ୍କ ଧର୍ମୀୟ ଅନୁଷ୍ଠାନ ଉପରେ ଆକ୍ରମଣ ଥମିବାର ନାଁ ନେଉନାହିଁ। ଆଗାମୀ ଦୁର୍ଗାପୂଜାକୁ ଆଖି ଆଗରେ ରଖି ପ୍ରସ୍ତୁତି ଚାଲିଥିବା ବେଳେ ବାଂଲାଦେଶର ଟଙ୍ଗାଇଲ୍ ଜିଲ୍ଲାରେ ଏକ ବଡ଼ଧରଣର ଅଘଟଣ ଘଟିଛି। ଜିଲ୍ଲାର ଏକ ହିନ୍ଦୁ ମନ୍ଦିରରେ ନିର୍ମାଣାଧୀନ ଥିବା ୭ଟି ପ୍ରତିମାକୁ କିଛି ଦୃବୃତ୍ତ ଭଙ୍ଗାରୁଜା କରି ନଷ୍ଟ କରିଦେଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତିକ୍ତତା ସୃଷ୍ଟି ହୋଇଥିବା ବେଳେ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଓ କ୍ରୋଧ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଟଙ୍ଗାଇଲ୍ ଜିଲ୍ଲାର ମିର୍ଜାପୁର ଉପଜିଲ୍ଲା ଅନ୍ତର୍ଗତ ଜମୁରକୀ ପଶ୍ଚିମପାଡ଼ା ସ୍ଥିତ ଏକ ମନ୍ଦିରରେ ଦୀର୍ଘ ୮୫ ବର୍ଷ ହେବ ପାରମ୍ପରିକ ଭାବେ ଜମୁରକୀ ଆର୍ଯ୍ୟ ସମିତିର ଦ୍ୱାରା ଦୁର୍ଗାପୂଜା ହୋଇଆସୁଛି। ଚଳିତ ବର୍ଷ ମଧ୍ୟ ପୂଜା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିଲା। ମନ୍ଦିର ପରିସରରେ ମା' ଦୁର୍ଗାଙ୍କ ମୁଖ୍ୟ ପ୍ରତିମା ସମେତ ମୋଟ ୭ଟି ପ୍ରତିମା ତିଆରି କରାଯାଉଥିଲା। ପ୍ରତିମାଗୁଡ଼ିକର ଗଠନ କାମ ପ୍ରାୟ ଶେଷ ହୋଇଯାଇଥିବା ବେଳେ କେବଳ ରଙ୍ଗବୋଳା କାମ ବାକି ଥିଲା।
କିନ୍ତୁ ବୁଧବାର ବିଳମ୍ବିତ ରାତିରେ କିଛି ଅଜ୍ଞାତ ଦୁର୍ବୃତ୍ତ ମନ୍ଦିର ଭିତରେ ପଶି ଏହି ସମସ୍ତ ପ୍ରତିମାକୁ ଭାଙ୍ଗି ଭୂମିସାତ୍ କରିଦେଇଛନ୍ତି। ଗୁରୁବାର ସକାଳେ ମନ୍ଦିର କର୍ତ୍ତର୍ପକ୍ଷ ଓ ସ୍ଥାନୀୟ ଲୋକମାନେ ମନ୍ଦିରକୁ ଆସିବା ବେଳେ ପ୍ରତିମାଗୁଡ଼ିକ ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ।
ପୋଲିସର ତନାଘନା ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଏହି ଅମାନୁଷିକ ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ ଟଙ୍ଗାଇଲ୍ ଜିଲ୍ଲା ପୋଲିସ ଅଧିକ୍ଷକ ମହମ୍ମଦ ଶାମସୁଲ ଆଲମ ସରକାର ଏବଂ ଅତିରିକ୍ତ ପୋଲିସ ଅଧିକ୍ଷକ ମୋ. ଅଦନାନ ମୁସ୍ତାଫିଜ୍ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।
ଜମୁରକୀ ଆର୍ଯ୍ୟ ସମିତିର ସଭାପତି ପ୍ରକାଶ ବାକଲି କହିଛନ୍ତି ଯେ, ବୁଧବାର ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ସେମାନେ ମନ୍ଦିରରେ ଥିଲେ ଏବଂ ପରେ ଘରକୁ ଯାଇଥିଲେ। କିନ୍ତୁ ସକାଳେ ଆସି ଦେଖିଲା ବେଳକୁ ସବୁକିଛି ଧ୍ୱଂସ ହୋଇସାରିଥିଲା। ଏନେଇ ପୋଲିସରେ ଏକ ଆନୁଷ୍ଠାନିକ ଅଭିଯୋଗ ଦିଆଯାଇଛି।