ଭୁବନେଶ୍ୱର: ଦେଶରେ ମତଦାନ ତାଲିକାର ସ୍ୱତନ୍ତ୍ର ପୁନଃରୀକ୍ଷଣ (SIR) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗ (ECI) ଏବଂ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି CEC ଜ୍ଞାନେଶ କୁମାର ନିଜ ପଦରୁ ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କ ବିରୋଧରେ ଆନ୍ଦୋଳନ ଆହୁରି ତୀବ୍ର ହେବ ଏବଂ ଶେଷରେ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ ହେବାକୁ ପଡ଼ିବ।
‘ଜ୍ଞାନେଶ କୁମାରଙ୍କୁ ଶେଷରେ ଇସ୍ତଫା ଦେବାକୁ ହିଁ ପଡ଼ିବ’
ଏକ ସାମ୍ବାଦିକ ସମ୍ମିଳନୀ ଏବଂ ଗଣମାଧ୍ୟମ ସହ ଆଲୋଚନା ସମୟରେ ପି. ଚିଦାମ୍ବରମ କହିଛନ୍ତି, ମୋର ଏଥିରେ କୌଣସି ସନ୍ଦେହ ନାହିଁ ଯେ ଜ୍ଞାନେଶ କୁମାରଙ୍କୁ କେବେ ନା କେବେ ଇସ୍ତଫା ଦେବାକୁ ହିଁ ପଡ଼ିବ। ତାଙ୍କ ପାଇଁ ଏହା ସବୁଠାରୁ ଭଲ ହେବ ଯେ ସେ ଯଥାଶୀଘ୍ର ନିଜ ପଦରୁ ଇସ୍ତଫା ଦିଅନ୍ତୁ। ଯଦି ସେ ଏହା ନ କରନ୍ତି, ତେବେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟ ସମେତ ବିଭିନ୍ନ ସମୂହ ଏହି ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେଣୁ ବୁଦ୍ଧିମତ୍ତାର କାମ ଏହା ହେବ ଯେ ସେ ସମ୍ମାନଜନକ ଭାବେ ବର୍ତ୍ତମାନ ହିଁ ଇସ୍ତଫା ଦିଅନ୍ତୁ, ନଚେତ୍ ପରିସ୍ଥିତି ଆହୁରି ଜଟିଳ ହେବ।
‘କିଏ କରୁଛି CECଙ୍କୁ ବଞ୍ଚାଇବାକୁ ପ୍ରୟାସ?’
ଚିଦାମ୍ବରମ ପ୍ରଶ୍ନ କରିଛନ୍ତି ଯେ ବର୍ତ୍ତମାନ CEC ଜ୍ଞାନେଶ କୁମାରଙ୍କୁ କିଏ ସୁରକ୍ଷା ଦେଉଛି। ସରକାର କେତେବେଳେ ନିର୍ବାଚନ ଆୟୋଗ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି ତ କେତେବେଳେ କହୁଛନ୍ତି ଏଥିରେ ସରକାରଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି। ଏହା ଏକ ସାମ୍ବିଧାନିକ ସଂସ୍ଥା ହୋଇଥିଲେ ମଧ୍ୟ ସ୍ପଷ୍ଟ ଜଣାପଡୁଛି ଯେ କେହି ଜଣେ ତାଙ୍କୁ ଇସ୍ତଫା ନ ଦେବା ପାଇଁ ପ୍ରୋତ୍ସାହିତ କରୁଛନ୍ତି।
ଅନ୍ୟପଟେ, ନିର୍ବାଚନ ଆୟୋଗର ଅନ୍ୟ ଦୁଇ କମିଶନର ଡ. ସୁଖବୀର ସିଂହ ସନ୍ଧୁ ଏବଂ ଡ. ବିବେକ ଜୋଶୀଙ୍କ ସମ୍ପର୍କରେ ସେ କହିଛନ୍ତି ଯେ, ଯଦି ସେମାନଙ୍କ ଭୂମିକା ସନ୍ଦେହଜନକ ବା ବେଆଇନ ବୋଲି ପ୍ରମାଣ ମିଳେ, ତେବେ କଂଗ୍ରେସ ସେମାନଙ୍କ ଠାରୁ ମଧ୍ୟ ଇସ୍ତଫା ଦାବି କରିବ।